ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛି । ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍ସୀଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ସିମ୍ଡେଗାଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଭୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧ୍ୱ କରିବା ପାଇଁ ୧୮ ଜଣିଆ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ହକି ପାଇଁ ଓଡ଼ିଶାର ଆଡ଼ହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ . ଦିଲ୍ଲୀପ ତିର୍କୀ କହିଛନ୍ତି । ବରିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଜ୍ୟୋତି ଛତ୍ରି ଦଳର ନେତୃତ୍ଵ ନେବେ । ୧୮ ଜଣିଆ ବରିଷ୍ଠ ମହିଳା ହକି ଦଳ ସହିତ ଅନ୍ତର୍ଜାତୀୟ ଖାତିସଂପନ୍ନ ମହିଳା ହକି ତାରକା ଶ୍ରୀମତୀ ପାଉଲିନା ସୁରିନ୍ ଦଳ ପ୍ରବନ୍ଧକ ଓ ଅଲମ୍ପିଆନ୍ ହକି ତାରକା ଶ୍ରୀ ଲାଜରୁସ୍ ବାର୍ଲା ପ୍ରଶିକ୍ଷକ ଦାୟିତ୍ଵ ନିର୍ବାହ କରିବେ । କଳିଙ୍ଗ ଷ୍ଟାଡିୟମ୍ର ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରର ଡାକ୍ତର ଶୋଭେନ୍ ଫିଜିଓ ଏବଂ ରେଶ୍ମା ଲାକ୍ରା ସହାୟକ ଦାୟିତ୍ଵ ନିର୍ବାହ କରିବେ ।
ସେହିପରି କନିଷ୍ଠ ମହିଳା ହକି ଦଳ ସହିତ ଭଲିବଲ୍ ପ୍ରଶିକ୍ଷକ ଶ୍ରୀମତୀ ସୁଷମା ନନ୍ଦ ଓ ବରିଷ୍ଠ ହକି ପ୍ରଶିକ୍ଷକ ଶ୍ରୀ କାଳୁଚରଣ ଚୌଧୁରୀ ଯଥାକ୍ରମେ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ଵ ନିର୍ବାହ କରିବେ । ଏହି ଦଳ ସହିତ ଫିଜିଓ ଭାବରେ ସୁଶ୍ରୀ ଶୁଭସ୍ମିତା ମହାନ୍ତି ଓ ଫିଟ୍ନେସ୍ ଟ୍ରେନର ଭାବରେ ଶ୍ରୀମତୀ ସରିତା ରୋଶନ୍ ହନୁମାନ୍ ଓ ଉପାସନା ଯାଦବ ଯୋଗଦେବେ । କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ସିମ୍ଡେ଼ଗା ନିମନ୍ତେ ଯାତ୍ରା କରିବେ । ବିଗତ ଦୁଇ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ୍ର ହକି ଗ୍ରାଉଣ୍ଡରେ ଚାଲିଥିବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡ୍ହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ . ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ଏବଂ ଯୁବସେବା ବିଭାଗ , ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରି ପ୍ରତିଯୋଗିତାରେ ସଫଳତା କାମନାପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।