ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ । ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଜିଲ୍ଲା ରେ ସ୍ମାର୍ଟ ସ୍ଵାସ୍ଥ୍ୟକାର୍ଡ ବଣ୍ଟନ ସହ ପ୍ରାୟ ଦେଢ଼ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍ଘାଟନ କରିବେ । ଏହି ଅବସରରେ ମନ୍ତ୍ରୀ , ସାଂସଦ , ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତା ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ପହଞ୍ଚି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରାୟ ୧୫୦ରୁ ଅଧିକ ନେତା ମୟୂରଭଞ୍ଜ ଗସ୍ତ କରୁଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ୨୦ ତାରିଖ ଅପରାହ୍ନ ଏବଂ ୨୧ ତାରିଖ ସକାଳ ସୁଦ୍ଧା ସେମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚିବା ପାଇଁ ନିର୍ଦେଶ ଦିଆଯାଇଛି । ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଦଳ ଲକ୍ଷ୍ୟ ରଖିଛି । ଗସ୍ତ କରୁଥିବା ମନ୍ତ୍ରୀ , ବିଧାୟକ ଓ କାର୍ଯ୍ୟକର୍ତ୍ତା ଜିଲ୍ଲା ରେ କିଛି ଦିନ ରହି ସାଂଗଠନିକ ସ୍ଥିତି ଅନୁଧ୍ୟାନ କରିବା ସହ ତୃଣମୂଳ ସ୍ତରରେ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ଆବଶ୍ୟକ ପଦକ୍ଷେପ ନେବେ ।