ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗୋଟିଏ ଗୋଡରେ ଟ୍ରଲି ଚଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରୋହିତ ପ୍ରଧାନ। ସକାଳୁ ସକାଳୁ ଟ୍ରଲି ନେଇ ବାହାରି ଯାଆନ୍ତି , ରାତି ଅଧକୁ ଘରକୁ ଫେରନ୍ତି । ପରିବା ହାଟ , ବସଷ୍ଟାଣ୍ଡ , ରେଲ ଷ୍ଟେସନ ଟ୍ରଲି ଯୋଗେ ଜିନିଷ ପତ୍ର ବୁହାଇ ଠିକଣା ଜାଗାରେ ପହଞ୍ଚାଇଥାନ୍ତି। ଗୋଟିଏ ଦିନରେ ଯେତିକି ରୋଜଗାରର ହୁଏ ସେଥିରେ କଷ୍ଟେ ମଷ୍ଟେ ପାରିବାର ଚାଲିଯାଏ । ପରଦିନେ ପେଟ ଚିନ୍ତାରେ ପୁଣି ବାହାରି ପଡ଼ନ୍ତି । ଏହିଭଳି ଗୋଡ଼ ନଥିବା ଅଧିକାଂଶ ଦିବ୍ୟାଙ୍ଗ ମାନେ ଭିକ୍ଷାବୃତ୍ତି କରୁଥିବା ବେଳେ ରୋହିତ ସ୍ୱାଭିମାନ ସହ ସ୍ଵାଧୀନ ଭାବେ ଜୀବନ ବିତାଉଛନ୍ତି । ୩୦ ବର୍ଷରୁ ଅଧିକ ସମୟ ହେବ ଏକ ଦୁର୍ଘଟଣାରୁ ଗୋଡ଼ ହରାଇଥିଲେ ମଧ୍ୟ ଅନ୍ୟ ଉପରେ ବୋଝ ହୋଇନାହାନ୍ତି ରୋହିତ ।
ଦିବ୍ୟାଙ୍ଗ ହେଲେବି ସେ ଭିନ୍ନ ଓ ସ୍ବତନ୍ତ୍ର । ପତ୍ନୀ ପୁଅ ଏବଂ ଝିଅକୁ ନେଇ ପରିବାର ପ୍ରତି କର୍ତ୍ତବ୍ୟ ପାଳନ କରିବାରେ ସେ ଟିକେବି ଅବହେଳା କରିନାହାନ୍ତି । ପିଲାଦିନ ଦୁର୍ଘଟଣା ର ଶିକାର ହୋଇ ରୋହିତଙ୍କ ବାମଗୋଡ ହରାଇବାକୁ ପଡ଼ିଥିଲା । ଚିକିତ୍ସା ଅଭାବରୁ ବାମ ଗୋଡର ଜଙ୍ଘ ପାଖରୁ ଗୋଡ଼ କଟା ଯାଇଥିଲା ସେହଦିନଠାରୁ ସେ ଦିବ୍ୟାଙ୍ଗ ହୋଇ ଯାଇଛନ୍ତି । ଆର୍ଥିକ ଅଭାବରୁ ପେଟ ପାଇଁ ସେ ଗୋଡର ଯନ୍ତ୍ରଣା କୁ ଭୁଲିଯାଇ ଟ୍ରଲି ଟାଣି ପେଟ ପୋଷନ୍ତି । କାହାରିକୁ ନିର୍ଭର ନକରି ୩୦ବର୍ଷ ହେବ ଗୋଟିଏ ଗୋଡ଼ରେ ସ୍ୱାଭିମାନ ସହ ସଂସାର ଗାଡ଼ିକୁ ଚଳାଇ ଆସୁଛନ୍ତି ।ଗୋଟିଏ ଗୋଡ଼ରେ ଟ୍ରଲି ଚାଲିବା କଷ୍ଟ କୁ ୟୁନିଟ-୧ ପରିବା ମାର୍କେଟ ଟ୍ରଲି ଚାଳକ ସଂଘର ସଦସ୍ୟମାନେ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ ହେବ ଦେଖି ଆସୁଥିବାର କହିବା ସହ ସରକାରୀ ସହଯୋଗ ରୁ ଯଦି ଇ – ରିସ୍କା କିମ୍ବା ବ୍ୟାଟେରୀ ଅଟୋ ଯୋଗାଇ ଦିଆଯାଆନ୍ତା ତେବେ ରୋହିତ କୁ ଗୋଟିଏ ଗୋଡ଼ର କଷ୍ଟ ରୁ ମୁକ୍ତି ମିଳିପାରନ୍ତା ବୋଲି ସେ ଆଶା ପ୍ରକଟ କରିବା ସହ ପ୍ରଶାସନକୁ ସାହାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ।