ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଛତିଶଗଡର ଯଶପୁର ଜିଲ୍ଲାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବୁଡ଼ାଇବାକୁ ଯାଉଥିବା ଭକ୍ତମାନଙ୍କ ଉପରେ ଏକ କାର ଚଢ଼ିଯିବାରୁ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୨୦ ଜଣ ଏଥିରେ ଆହତ ହୋଇଛନ୍ତି।
ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ଯଶପୁରର ପାଥାଲଗାଓଁର ୨୧ବର୍ଷର ଗୌରବ ଅଗ୍ରୱାଲ ବୋଲି ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ପାଥାଲଗାଓଁର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ଲକ ମେଡିକାଲ ଅଧିକାରୀ ଜେମ୍ସ ମିନଜ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କର ଶରୀରରେ ଅଧିକ ଆହାତ ହୋଇଥିବାରୁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଯାଉଛି। କାରଟି ଏକ ମରୁନ ମହିନ୍ଦ୍ରା ଜାଇଲୋ ଥିଲା। ଯେଉଁଥିରେ ମଧ୍ୟପ୍ରଦେଶର ନମ୍ବର ପ୍ଲେଟ ଥିଲା । ଏହି ଗାଡିଟି ନିକଟସ୍ଥ ସୁଖରାପରା ଅଭିମୁଖେ ଯାଉଥିଲା ବୋଲି ସୂଚନାମିଳିଛି।
ତେବେ ଉତ୍ତେଜିତ ସ୍ଥାନୀୟ ଲୋକ ଗାଡି ପଛରେ ଦୌଡ଼ିଯାଇ ଏହାକୁ ରାସ୍ତା କଡ଼ ଅଟକାଇଥିଲେ। ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରଥମଟି ହେଉଛି ୨୧ବର୍ଷୀୟ ବାବଲୁ ବିଶ୍ୱକର୍ମା ଏବଂ ଦ୍ୱିତୀୟଟି ହେଉଛି ୨୬ ବର୍ଷୀୟ ଶିଶୁପାଲ ସାହୁ । ଉଭୟ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାର ବାସିନ୍ଦା ଏବଂ ଛତିଶଗଡ ଦେଇ ଯାଉଥିଲେ। ଏହି ଦୁର୍ଘଟଣାରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ନିଜର ଦୁଃଖ ପ୍ରକାଶ କରିଛନ୍ତି।
ଯଶପୁର ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ। ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୀଛି। ଏବଂ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କାହାକୁ ରକ୍ଷା କରାଯିବ ନାହିଁ। ସମସ୍ତଙ୍କୁ ନ୍ୟାୟ ମିଳିବ। ଏହି ଦୁଃଘଟଣାରେ ଚାଲିଯାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।