ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦେଶରେ ଦକ୍ଷିଣ – ପଶ୍ଚିମ ମୌସୁମି ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅଧା ଓଡ଼ିଶାରୁ ଏହା ଫେରିଛି। ସୁନ୍ଦରଗଡ଼ , ଝାରସୁଗୁଡ଼ା , ଦେବଗଡ଼ , ସମ୍ବଲପୁର , ବରଗଡ଼ , ବଲାଙ୍ଗିର , ସୋନପୁର ଓ ନୂଆପଡ଼ାରୁ ମୌସୁମି ସମ୍ପୂର୍ଣ୍ଣ ଅପସରି ଯାଇଛି। ଅନୁଗୂଳ ଓ ବୌଦ୍ଧର ଅଧିକାଂଶ ଅଞ୍ଚଳ ଏବଂ କନ୍ଧମାଳ , କଳାହାଣ୍ଡି , କେନ୍ଦୁଝର , ଢେଙ୍କାନାଳ ଓ ମୟୂରଭଞ୍ଜରୁ କେତେକ ଅଞ୍ଚଳରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।ଆସନ୍ତା ଦୁଇ ଦିନରେ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରୁ ମୌସୁମି ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ସ୍ଥିର ରହିଛି । ଆସନ୍ତା ୧୩ ତାରିଖ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗରରେ ଏହା ଲଘୁଚାପରେ ପରିଣତ ହୋଇ ଉତ୍ତର – ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ ଓଡ଼ିଶା ଓ ଉତ୍ତର – ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।