ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଉତ୍ତର ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଘୂଣ୍ଣବଳୟ ଆଗାମୀ ୩୬ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହା ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଗୋଟାଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପକ୍ଷରେ ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମି ପ୍ରତ୍ୟାବର୍ତ୍ତନ ଜାରି ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଗୁଜରାଟ , ଛତିଶଗଡ଼ , ମଧ୍ୟପ୍ରଦେଶ , ଝାଡ଼ଖଣ୍ଡ , ବିହାରର ଅଧିକାଂଶ ଅଞ୍ଚଳ ଏବଂ ଓଡ଼ିଶା , ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିବ । ତେବେ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା କମ ରହିଥିବା ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସମୁଦ୍ରରେ ଜଳବାୟୁର ସ୍ଥିତି , ପବନର ଦିଗ ଏବଂ ଓଡ଼ିଶାରୁ ମୌସୁମି ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟପର୍ଯ୍ୟନ୍ତ ପ୍ରବଳ ବର୍ଷା ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କଲେଣି । ଦଶହରା ପରେ ଓଡ଼ିଶାରେ ମାଡ଼ ହୋଇପାରେ ବୋଲି କୁହାଯାଉଛି । ଆଞ୍ଚଳିକ ପାଣିପାଗ ନିର୍ଦେଶକ ଏଚ୍.ଆର୍ . ବିଶ୍ଵାସ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ତ୍ତିବଳୟ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ପରେ ଏହା ବାତ୍ୟା ରୂପ ନେବ କି ନାହିଁ , ବାତ୍ୟା ରୂପ ନେଲେ କେତେ ଭୟଙ୍କର ହେବ ତାହା ପରବର୍ତ୍ତୀ ଆକଳନରୁ ଜଣାପଡ଼ିବ । ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ୧୭ରେ ଅବପାତରେ ପରିଣତ ହୋଇ ୧୮ ତାରିଖ ସନ୍ଧ୍ୟା ଭିତରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପୁରୀ ଠାରୁ ଦୀଘା ମଧ୍ୟରେ ଉପକୂଳ ଛୁଇଁବ । ଯଦି ଏହା ପଶ୍ଚିମବଙ୍ଗ ମୁହାଁ ହୁଏ ତଥାପି ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବେ ଗତି କରିବା ହେତୁ ରାଜ୍ୟରେ ପ୍ରଭାବ ରହିବ । ୧୫ରେ ଦକ୍ଷିଣ ଉପକୂଳ ଓ ୧୬ରେ ସମସ୍ତ ଉପକୂଳରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବର୍ଷା ହେବ । ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ବାଲେଶ୍ବରରେ ଏହି ସମୟରେ ଅତି ପ୍ରବଳ ବର୍ଷା ହେବ ।