ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ୧୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଲଘୁଚାପ ଅବପାତ ରୂପ ନେଇପାରେ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ । ଏଭଳି ଆକଳନ କରିଛି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ନିମ୍ନଚାପ ରେଖା ରହିଛି । ତେବେ ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଘଡଘଡି ସହ ବଜ୍ରପାତ ମଧ୍ୟ ହୋଇ ପାରେ । କୋରାପୁଟ , ନବରଙ୍ଗପୁର , ରାୟଗଡା କଳାହାଣ୍ଡି , କନ୍ଧମାଳ , ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେଥିଲାଗି ଲୋକ ମାନଙ୍କୁ ଘରୁ ବାହାରକୁ ନ ବାହାରିବା ସହ ସର୍ତକ ରହିବାକୁ ସୂଚନା ଦିଆଯାଇଛି।