ସନଷ୍ଟାର ଟିଭି ବ୍ୟୁରୋ
ଖୋର୍ଦ୍ଧା : ୧୯୯୧ ମସିହା ଜିଲ୍ଲା ପରିଷଦ ଆଇନର ବ୍ୟବସ୍ଥା ଅନୁଯାୟୀ ଖୋର୍ଦ୍ଧା ଜିଲା ପରିଷଦ ନିର୍ବାଚନ ମଣ୍ଡଳୀଗୁଡିକର ସ୍ଥିତି ଓ ସଭ୍ୟ ସଭ୍ୟାଙ୍କର ପ୍ରସ୍ତାବିତ ଆରକ୍ଷଣ ବ୍ୟବସ୍ଥା ସମ୍ବଳିତ ଏକ ଚିଠା ପ୍ରକାଶ ପାଇଛି । ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଯାହାର ଏକ ନକଲ ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ପ୍ରଦର୍ଶନ ହେବ । ଏ ସଂକ୍ରାନ୍ତରେ ଯଦି କାହାର ଆପତ୍ତି ଅଭିଯୋଗ ଥାଏ ତେବେ ଅକ୍ଟୋବର ୧୬ ତାରିଖ ସୁଦ୍ଧା ସେ ଡାକ କିମ୍ବା ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବେ । ଜିଲ୍ଲାରେ ୨୦୬୪୮୪ ଜଣ ଅନୁସୂଚିତ ଜାତି , ୬୯୬୭୭ଜଣ ଅନୁସୂଚିତ ଜନଜାତିଙ୍କୁ ମିଶାଇ ସମୁଦାୟ ୧୨୬୦୦୮୨ଜଣ ଲୋକ ଅଛନ୍ତି । ମୋଟ ଜନସଂଖ୍ୟାର ଶତକଡା ହାର କୁ ନେଇ ଗାଣିତିକ ଆକଳନ ଅନୁଯାଇ ସଂରକ୍ଷଣ ଚିଠା ପ୍ରସ୍ତୁତ ହୋଇଛି । ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀ ଶକ୍ତିକାନ୍ତ ରାୟ ପ୍ରସ୍ତୁତ ହୋଇଥିବା ତାଲିକା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ଚିଠା ପ୍ରକାଶ ପାଇଥିଲା । ସେହିପରି ପଞ୍ଚାୟତ ସମିତି ଗୁଡିକର ତାଲିକା ପ୍ରସ୍ତୁତ ହୋଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ , ଅଧ୍ୟକ୍ଷା , ପଞ୍ଚାୟତ ସମିତି ସଭ୍ୟ , ସଭ୍ୟା ଓ ସରପଞ୍ଚ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି ପୁରୁଷ ୧ ମହିଳା ୧ ଅନୁସୂଚିତ ଜନଜାତି ମହିଳା ୧ , ପଛୁଆ ବର୍ଗର ଜଣେ ମହିଳା , ଜଣେ ପୁରଷ ଏବଂ ତିନିଟି ଅଣସଂରକ୍ଷିତ ଆସନ ପୁରୁଷ ଓ ଦୁଇଟି ମହିଳା ଅଣସଂରକ୍ଷଣ ପଦ ହାରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଛି ।