ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଅକ୍ଟୋବର ୧୧ରେ ପ୍ରକାଶ ପାଇବ + ୨ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ଯୁକ୍ତ ଦୁଇରେ ପ୍ରଥମ ପର୍ଯ୍ୟାୟ ଓ ସ୍ପଟ୍ ନାମଲେଖା ପରେ ଖାଲି ରହିଥିବା ସିଟ୍ଗୁଡ଼ିକ ପାଇଁ ପୁନଃ ଆବେଦନ ଫର୍ମ ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଗ୍ରହଣ କରାଯିବ । ପ୍ରାର୍ଥୀମାନେ ନୂତନ ଆବେଦନ କରିବା ସହିତ ନିଜର କଲେଜ ଓ ବିଭାଗ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରି ପାରିବେ । ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟ ଓ ସ୍ପଟ୍ ନାମଲେଖା ପାରେ ମଧ୍ୟ କଲେଜ ଗୁଡ଼ିକରେ ପିଲାଙ୍କ ନାମଲେଖା ଉତ୍ସାହଜନକ ହୋଇ ନଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟରେ ଆହୁରି ୧ ଲକ୍ଷ ୪୬ ହଜାର ୮୬୯ ସିଟ୍ ନାମ ଲେଖା ପାଇଁ ବଳକା ରହିଛି । ତେବେ ଗୁରୁବାର ସୁଦ୍ଧା କଳାରେ ୪୨ ହଜାର ୮୯୮ଟି ସିଟ୍ ବଳକା ଥିବାବେଳେ ବିଜ୍ଞାନରେ ୬୮ ହଜାର୭୪୦ , ବାଣିଜ୍ୟରେ ୨୨ ହଜାର ୯୮୨ , ସଂସ୍କୃତରେ ୬ ହଜାର ୭୧୬ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୫ ହଜାର ୫୨୩ଟି ସିଟ୍ ବଳକା ଥିବା ସାମ୍ଫ ୱେବ ସାଇଟରେ ତଥ୍ୟ ଅପ୍ଲୋଡ ହୋଇଛି । ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟନାମଲେଖା ପାଇଁ ବିଜ୍ଞପ୍ତି ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ବିକାଶ ମହାପାତ୍ର ସୂଚନା ଦେଇଛନ୍ତି। ନାମଲେଖା ପାଇଁ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବାକୁ ହେବ । ସାମ୍ଫ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ଅନଲାଇନ୍ ଆବେଦନ କରିବେ । ପୂର୍ବ ପର୍ଯ୍ୟାୟରେ ନାମଲେଖା ପାଇଁ ଆଦୌ ଆବେଦନ କରି ନଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରି ପାରିବେ । ସେହିପରି ଅକ୍ଟୋବର ଶେଷ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ଦଶହରା ପରେ + ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରିବାକୁ ବିଭାଗ ଯୋଜନା ରଖିଛି ।