ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ ଦକ୍ଷିଣ – ପଶ୍ଚିମ ମୌସୁମି ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଛି । ପଶ୍ଚିମ ରାଜସ୍ଥାନ ଓ ଏହାର ପାର୍ଶ୍ଵବର୍ତ୍ତୀ ଗୁଜରାଟର କିଛି ଅଞ୍ଚଳରେ ମୌସୁମି ପ୍ରତ୍ୟାବର୍ତ୍ତନ କରିଛି । ଆଗାମୀ ୩ – ୪ ଦିନ ମଧ୍ୟରେ ଏହା ଗୁଜରାଟର ଅଧିକ ଅଞ୍ଚଳ , ପୂରା ରାଜସ୍ଥାନ , ପଞ୍ଜାବ , ହରିୟାଣା , ଚଣ୍ଡୀଗଡ଼ ଓ ଦିଲ୍ଲୀ , ଜମ୍ମୁ ଓ କଶ୍ମୀର , ଲଦାଖ , ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ , ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପରବର୍ତ୍ତୀ ୪ – ୫ ଦିନ ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବ । ସେହିପରି ଆସନ୍ତାକାଲି କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ଶୁକ୍ରବାର କୋରାପୁଟ , ମାଲକାନଗିରି , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ଗଜପତି ଓ ଗଞ୍ଜାମରେ ଘଡ଼ଘଡ଼ି ସହ ବର୍ଷା ହେବ । ଏହିସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।