ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚ୍ଏସ୍ଇ ) ଯୁକ୍ତ୨ ପରୀକ୍ଷାକୁ ନୂଆ ପଦ୍ଧତିରେ କରିବାକୁ ନିଷ୍ପତ୍ତି ନେଇଛି। ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ । ତିନି ମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷାଗୁଡ଼ିକରେ ପ୍ରଶ୍ନ କିପରି ଆସିବ ତାହା ବି ସ୍ପଷ୍ଟ କରାଯାଇଛି । ୬ଟି ୧ ମାର୍କ ବିଶିଷ୍ଟ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ , ଯେଉଁଥିରୁ ପରୀକ୍ଷାର୍ଥୀଙ୍କୁ ତିନୋଟିର ଉତ୍ତର ଦେବାକୁ ପଡିବ । ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ପରୀକ୍ଷାର୍ଥୀ ୨ଟିର ଉତ୍ତର ଦେବେ । ମୋଟ୍ ୪୫ ମିନିଟ୍ରେ ଏହି ପରୀକ୍ଷା ହେବ । ତେବେ ପ୍ରଶ୍ନ ପଢ଼ି ବୁଝିବା ପାଇଁ ଅତିରିକ୍ତ ୫ ମିନିଟ୍ ସମୟ ଦିଆଯିବ । ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷା କଲେଜ ସ୍ତରରେ ହେବ । ସିଏଚ୍ଏସ୍ଇ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷା ପରିଚାଳନା କରିବ । କଲେଜ ସ୍ତରରେ ଯେଉଁ ପରୀକ୍ଷା ହେବ ତାର ଫଳକୁ ଅନ୍ଲାଇନ୍ ଜରିଆରେ ସିଏଚ୍ଏସ୍ଇକୁ ପଠାଯିବ । ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲେ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ । ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବ ନାହିଁ । ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍ରେ ଶିକ୍ଷାଦାନ ହେବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି ।