ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାଲକାନଗିରି , ସୁନ୍ଦରଗଡ଼ , ବଲାଙ୍ଗୀର , ଗଜପତି ପରେ ଏବେ ଉପକୂଳ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ପୁରୀ ସ୍କାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ପ୍ରାୟ ୩ ଲକ୍ଷ ୭୬ ହଜାର ହିତାଧୂରୀ ଏହି ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହେବାକୁ ଯାଉଛନ୍ତି । ‘ ପ୍ରତିଟି ଜୀବନ ମୂଲ୍ୟବାନ ’ ସିଦ୍ଧାନ୍ତ ଅନୁସାରେ ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ । ଏହି ମନ୍ତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ବିରାଟ ପରିବର୍ତ୍ତନର ଲକ୍ଷ୍ୟରେ ଆଗେଇ ଚାଲିଥିବା ବେଳେ ଆଜି ପୁରୀବାସୀରାଜ୍ୟବାସୀଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟସେବା ଯୋଗାଇଦେବାର ପ୍ରତିବଦ୍ଧତାକୁ ନେଇ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରୁଛନ୍ତି । ଏଥିରେ ପୁରୀ ପ୍ରାୟ ୯୦ ପ୍ରତିଶତ ଲୋକ ଅର୍ଥାତ୍ ୧୩୫ ଲକ୍ଷ ପରିବାର ଏହି ସ୍ବାସ୍ଥ୍ୟସେବାର ଲାଭ ଉଠାଇପାରିବେ । ଏହି ସ୍ମାର୍ଟ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ପ୍ରାୟ ସାଢ଼େ ୩ କୋଟି ଲୋକେ ସିଧାସଳଖ ଭାବେ ଉପକୃତ ହେବେ । କାର୍ଡ ଦେଖାଇ ସେମାନେ ଦେଶର ପ୍ରାୟ ୨୦୦ଟି ବଡ଼ ବଡ଼ ହସ୍ପିଟାଲରେ ମାଗଣା ଚିକିତ୍ସା ସେବାର ସୁବିଧା ଉଠାଇପାରିବା ନେଇ ବ୍ୟବସ୍ଥା କରାଯାଇଛି । ଏହାସହ ପୁରୀ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ହେଲ୍ଥ କାର୍ଡ ବାଣ୍ଟିବା ସହ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି । ବ୍ରହ୍ମଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବନିର୍ମିତ ମିନି ସଚିବାଳୟର ଲୋକାର୍ପଣ ସହ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।