ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଇଡି ଓ ସିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଗୁରୁବାର ଠାରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଯାଇଛି । ଅକ୍ଟୋବର ୭ ଓ ୮ ତାରିଖରରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ପରୀକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ତେବେ ପ୍ରଥମ ଦିନର ପରୀକ୍ଷା ସରିଛି। ଚଳିତ ବର୍ଷ ସିଟି ପ୍ରବେଶିକା ପରୀକ୍ଷା ଏସ୍ସିଇଆରଟି ଦ୍ଵାରା ପରିଚାଳିତ ହେଉଥିବାବେଳେ ବିଇଡି ଓ ବିଏଚ୍ଇଡି ପ୍ରବେଶିକା ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହେଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଜିଲ୍ଲାଗୁଡ଼ିକରେ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି । ପ୍ରବେଶିକା ପରୀକ୍ଷା ପୂର୍ବାହ୍ନ ୧୧ଟା ୩୦ରୁ ଅପରାହ୍ନ ୧ଟା ମଧ୍ୟରେ ଅନୁଷ୍ଠିତ ହେବ। ଏକ ସମୟରେ ଉଭୟ ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା ପାଇଁ ସମୟ ଏବଂ ତାରିଖ ନିର୍ବାଚିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖରେ ପରିବର୍ତ୍ତନ ମଧ୍ୟ ହୋଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିଇଡି / ବିଏଚ୍ଇଡି ପରୀକ୍ଷା ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ । ସେମାନଙ୍କ ପରୀକ୍ଷା ୧୧ ତାରିଖ ଦିନ ପୂର୍ବାହ୍ନ ୧୧ଟା ୩୦ରୁ ଅପରାହ୍ନ ୧ଟା ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦେବା ପାଇଁ ଏକା ସାଙ୍ଗରେ ସିଟି ଏବଂ ବିଇଡି ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ଅପରପେକ୍ଷ ୧୧ ତାରିଖରେ ବିଇଡି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ୭ ଓ ୮ ତାରିଖର ସିଟି ପ୍ରବେଶିକା ପରୀକ୍ଷାର ଆଡ଼ମିଟ୍ କାର୍ଡ଼ ପରୀକ୍ଷା କେନ୍ଦ୍ରରେ ଦାଖଲ କରିବାକୁ ହେବ । ପୁରୁଣା ଆଡ଼ମିଟ କାର୍ଡ଼ ଦେଖାଇ ବିଇଡି ପ୍ରବେଶିକା ଦେବାକୁ ଥିବା ଛାତ୍ରଛାତ୍ରୀ ପରୀକ୍ଷା ହଲରେ ପ୍ରବେଶ କରି ପାରିବେ ।