ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଦଳ ଛାଡ଼ିବାକୁ ନିଷ୍ପଭି ନେଇଛନ୍ତି । ଏନେଇ ସେ ନିଜେ ଗଣମାଧ୍ୟମକୁ ଜଣାଇଛନ୍ତି । ତେବେ ଦଳକୁ ବିରୋଧ କରି କିମ୍ବା କୌଣସି ଅସନ୍ତୋଷ ବ୍ୟକ୍ତକରି ଶ୍ରୀ ପାଙ୍ଗି ବିଜେପି ଛାଡୁନାହାନ୍ତି ବରଂ ନିଜର ରାଜନୈତିକ ଜୀବନର ଶେଷ ପର୍ଯ୍ୟାୟରେ ସେ କୋରାପୁଟ ଜିଲ୍ଲା ପାଇଁ କିଛି କରିବାକୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ପ୍ରକାଶ ଯେ ଶ୍ରୀ ପାଙ୍ଗି ଦୁଇ ଦିନ ତଳେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ନାମକ ଏକ ସଂଗଠନ ଗଠନ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ସମସ୍ୟାଗୁଡ଼ିକର ସମାଧାନ ହୋଇପାରୁନଥିବାରୁ ଏହି ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବାକୁ ସେ ଦାବି କରିଛନ୍ତି ଏବଂ ଏହି ଦାବିକୁ ପରିଚାଳନା କରିବା ପାଇଁ ସେ ଏହି ସଂଗଠନ ଛିଡ଼ା କରିଥିବା ଜଣାଇଛନ୍ତି। ସୂଚନାଯୋଗ୍ୟ , ଶ୍ରୀ ପାଙ୍ଗି ପଟାଙ୍ଗି ନିର୍ବାଚନମଣ୍ଡଳିରୁ ୪ ଥର ବିଧାୟକ ହୋଇଥିବା ବେଳେ ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ । ଏପରିକି ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଇତିଶ୍ରୀ ମାମଲାକୁ ନେଇ ସେ ନିନ୍ଦିତ ହୋଇଥିବା ବେଳେ ପରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେବାସହ ୨୦୧୯ରେ ବିଜେପି ଟିକେଟରୁ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ।