ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଖୁବ୍ଶୀଘ୍ର କଂଗ୍ରେସକୁ ଛାଡି ଶଙ୍ଖ ଧରିବେ ପ୍ରଦୀପ ମାଝୀ। ଗତ କିଛି ମାସ ହେବ ଏହି ଚର୍ଚ୍ଚା ଖୁବ ଧରିବୁଲୁଥିବା ବେଳେ ବର୍ତ୍ତମାନ ଖୋଦ୍ ପ୍ରଦୀପଙ୍କ ଏକ ସାକ୍ଷାତକାର ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ପ୍ରଦୀପଙ୍କ ଶିବିର ମଧ୍ୟ ଏବେ ଏହି ଚର୍ଚ୍ଚା ସତ ବୋଲି କହି ବୁଲିଲେଣି । ସମ୍ଭବତଃ ଦୁର୍ଗାପୂଜା ପରେ ପ୍ରଦୀପ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇପାରନ୍ତି । ବିଶେଷ ସୁତ୍ରରୁ ଜଣା ଯଦି ପ୍ରଦୀପ କ୍ଷମତାରେ ରହି ଲୋକଙ୍କ ସେବା କରିବାର ସୁଯୋଗ ମିଳେ , ତେବେ ସେ ବିଚାର କରିବେ । ଲୋକଙ୍କ ସେବା କରିବାର ସୁଯୋଗକୁ ହାତଛଡ଼ା କରିବା ଠିକ୍ ନୁହେଁ । ଏହାସହ ବିଜେଡି ଦଳରେ ଶୃଙ୍ଖଳା ଓ ଶାସନରେ ସ୍ଥିରତା ଥିବା କଥା ବି ସେ କହିଛନ୍ତି । ଖାଲି ସେତିକି ନୁହେଁ , ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ମନ୍ତ୍ରୀ ହେବା ନିଷ୍ପତ୍ତିକୁ ମଧ୍ୟ ସେ ସମର୍ଥନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପୂର୍ବରୁ ପ୍ରଦୀପଙ୍କ ଏଭଳି ବିବୃତି ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ରାଜ୍ୟ କଂଗ୍ରେସର ଆଗୁଆ ନେତା ଭିତରୁ ଜଣେ । ବର୍ତ୍ତମାନ ପିସିସିରେ ତାଙ୍କର ବେଶ୍ ପ୍ରଭାବ ରହିଛି । ପୂର୍ବରୁ ଅନେକ ନେତା ଦଳ ଛାଡ଼ି ପଳାଇଥିବାବେଳେ ପ୍ରଦୀପ ଯଦି ବିଜେଡିରେ ମିଶିବେ , ତେବେ କଂଗ୍ରେସ ପାଇଁ ଶକ୍ତ ଧକ୍କା ହେବ ।
ଏକଦା ରାହୁଲ ଗାନ୍ଧିଙ୍କ ଅତି ନିକଟତମ କୁହାଯାଉଥିବା ପ୍ରଦୀପ ଦଳ ଛାଡ଼ିବା ଚର୍ଚ୍ଚା ରାଜ୍ୟ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ପ୍ରଦୀପଙ୍କ ଭଳି ଜଣେ ଆଗଧାଡ଼ିର ଆଦିବାସୀ ନେତାଙ୍କୁ ଦଳରେ ମିଶାଇ ବିଜେଡି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ନିଜ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରଖିଛି । ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ପ୍ରଦୀପ ଯୁବ କଂଗ୍ରେସ ସଭାପତି ଥିବାବେଳେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ନବରଙ୍ଗପୁରରୁ କଂଗ୍ରେସ ସାଂସଦ ଥିଲେ । ତା ’ ପରେ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ସେ ରାଜନୀତି ଆରମ୍ଭ କରିଥିଲେ । ରାଜ୍ୟ କଂଗ୍ରେସରେ ଏବେ ସେ ଆଗଧାଡ଼ି ନେତା ଭାବେ ଗଣାଯଉଛନ୍ତି । ତେଣୁ ପ୍ରଦୀପ ଦଳ ଛାଡ଼ିବା ଖବରକୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ ।