ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମବଙ୍ଗର ଗାଙ୍ଗୀୟ ଉପତ୍ୟକାର ପଶ୍ଚିମଭାଗ ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହାସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ , ଝାରସୁଗୁଡା ଏବଂ ବରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପରୋକ୍ତ ଜିଲ୍ଲା ଗୁଡିକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୬୦ମିମି , ଅନୁଗୋଳର ରେଙ୍ଗାଲିରେ ୬୩ ମିମି , ଗଞ୍ଜାମର ଜଗନ୍ନାଥପ୍ରସାଦରେ ୬୨ ମିମି ବର୍ଷା ହୋଇଥିଲା । ଆଜି ବାଲେଶ୍ଵର , ପାରାଦୀପ , ବାରିପଦା , କେନ୍ଦୁଝର , ବଲାଙ୍ଗୀର , ତାଳଚେର ଓ ସୋନପୁରର ସ୍ଥାନେ ସ୍ଥାନେ ବର୍ଷାର ସମ୍ଭାବନା ରହିଛି ।