ସନଷ୍ଟାର ଟିଭି ବ୍ୟୁରୋ

ଶିଲଙ୍ଗ: ମେଘାଳୟର ଏକ ନଦୀରେ ଗୋଟିଏ ବସ୍ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବାର ପୋଲିସ ସୂଚନା ଦେଇଛନ୍ତି। ବସଟିରୁ ପ୍ରାୟ ୨୧ଜଣ ଯାତ୍ରୀ ପାଣି ଭିତରେ ପଡିଯାଇଥିଲେ। ଘଟଣା ଅନୁଯାୟୀ ରାତି ୧୨ ଟା ସମୟରେ ନଙ୍ଗଚ୍ରାମର ରିଙ୍ଗଡି ନଦୀରେ ବସଟି ଖସି ପଡ଼ିଯାଇଥିଲା। ଏହାପରେ ଉଦ୍ଧାରକାରୀ ଦଳ ଏବଂ ଜରୁରୀକାଳୀନ ସେବା ଦୁର୍ଘଟଣାସ୍ଥଳକୁ ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ଚାରିଟି ମୃତଦେହ ନଦୀ ଭିତରୁ ଉଦ୍ଧାର ହୋଇଥିବାବେଳେ ଦୁଇଟି ମୃତଦେହ ବସ୍ ଭିତରେ ଫସି ରହିଛନ୍ତି। ଏହାସହ ଷୋହଳ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ବୋଲି ପୋଲିସ କହିଛି। ମିଳିଥିବା ସୂଚନାଅନୁଯାୟୀ ପୂର୍ବ ଗାରୋ ପାହାଡ ଏବଂ ପଶ୍ଚିମ ଖାସି ପାହାଡ ସୀମା ମଧ୍ୟରେ ଥିବା ନୋଙ୍ଗଶ୍ରମ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି। କିଛି ଆହତ ଯାତ୍ରୀ ସ୍ଥାନୀୟ ଲୋକଙ୍କୁ କହିଛନ୍ତି ଯେ ଦୁର୍ଘଟଣା ଘଟିବା ବେଳକୁ ବସ୍ ଦ୍ରୁତ ଗତିରେ ଆସୁଥିଲା।
ସୂତ୍ରରୁ ପ୍ରକାଶ ଯେ ବସର ଆଗ ଭାଗ ପାର୍ଶ୍ୱରେ ଥିବା ବ୍ରିଜ ପୋଷ୍ଟକୁ ଧକ୍କା ଦେଇ ପାଣି ଭିତରକୁ ଯାଇଥିଲା। ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ଅଛନ୍ତି।