ସନଷ୍ଟାର ଟିଭି ବ୍ୟୁରୋ

ଚାନ୍ଦବାଲି: ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ନଦୀରେ ପାଣି ଉଛୁଳୁଛି । ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ଗାଁ ନିକଟରେ ଶୋଇ ରହୁଛନ୍ତି। ଆଜି ସକାଳୁ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀପଠାରେ କେତେକ ମଇଁଶି ଚରୁଥିବା ବେଳେ ଗୋଟେ ମଇଁଶିକୁ କୁମ୍ଭୀର ଝାମ୍ଫି ନେଇଥିଲା। ଅନ୍ୟପଟେ ପାଖରେ ଥିବା ଅନ୍ୟ ମଇଁଶି ଦୌଉଡି ପଳାଇ ଆସିଥିବା ବେଳେ ଏବେ ଗ୍ରାମବାସୀ ଭୟରେ ଜୀବନ କାଟୁଛନ୍ତି। ଏଥି ପୂର୍ବରୁ ହିଂସ୍ର କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଆଜି ଏକ ମଇଁଶିକୁ ଝାମ୍ଫି ନେଇଛି। ସ୍ଥାନୀୟ ଲୋକଙ୍କର ଚାଷଜମି ନଈ ଆରପାରି ଅର୍ଥାତ ଯାଜପୁର ଜିଲ୍ଲା ଅଞ୍ଚଳରେ ଥିବାରୁ ପ୍ରତିଦିନ ନଦୀପାର ହୋଇ ଚାଷୀ ଓ ଅନ୍ୟ ମାନେ ଦେଶୀ ଡଙ୍ଗାରେ ଯାତାୟାତ କରିଥାନ୍ତି। ବର୍ତ୍ତମାନ ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।(ରିପୋର୍ଟ-ପ୍ରଶାନ୍ତ କୁମାର ପାଣି)