ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଏଣିକି ଫାର୍ମାସିଷ୍ଟମାନେ ରୋଗୀଙ୍କ ପାଇଁ ଔଷଧ ଲେଖିପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ପ୍ରକାଶ ପାଇଛି । ବିଶେଷ କରି ଏନଭିବିଡିପିସି ଗାଇଡ୍ଲାଇନ୍ ଅନୁସାରେ ଫାର୍ମାସିଷ୍ଟମାନେ ମାଲେରିଆ ଏବଂ ଜ୍ଵର ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମଧ୍ୟ ଔଷଧ ଲେଖିପାରିବେ । ଏହାବ୍ୟତୀତ ମୂତ୍ର , ଅପର ରେସ୍ପିରେଟାରୀ ଟ୍ରାକ୍ଟ ଇଫେକ୍ସନ୍ ( ୟୁଆରଟିଆଇ ) , ଚର୍ମରୋଗ , କୁଣ୍ଡିଆ ରୋଗ , ରିଙ୍ଗ ୱାର୍ମ , ଡାଇରିଆ , କୃମି , ସାମାନ୍ୟ ଆହତ ରୋଗୀ , ଡିସି ଓ ଏନସିଡି ଭଳି ୧୨ ପ୍ରକାର ରୋଗ ପାଇଁ ଫାର୍ମାସିଷ୍ଟମାନେ ଔଷଧ ଓ ଇଞ୍ଜକ୍ସନ୍ ଲେଖିପାରିବେ । ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଜଣେ ଜଣେ ଡାକ୍ତର କାର୍ଯ୍ୟରତ ଅଛନ୍ତି । କୌଣସି କାରଣବସତଃ ଡାକ୍ତର ହସ୍ପିଟାଲରେ ଅନୁପସ୍ଥିତ ରହିବା ଦ୍ବାରା ସେହି ଡାକ୍ତରଖାନାରେ ରୋଗୀ ମାନଙ୍କର ସେବାରେ ବ୍ୟାଘାତ ଘଟୁଛି। ତେଣୁ ରୋଗୀ ଯେପରି ଚିକିତ୍ସା ପାଇପାରିବେ , ସେଥିଲାଗି ସେଠାରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ଔଷଧ ଲେଖିପାରିବେବୋଲି ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ପୂର୍ବରୁ ଫାର୍ମାସିଷ୍ଟମାନେ ଔଷଧ ଲେଖିବାର ସରକାରୀ ସ୍ତରରେ କୌଣସି ନିର୍ଦ୍ଦେଶନାମା ନଥିଲା । ସେମାନେ ରୋଗୀଙ୍କ ପାଇଁ ଔଷଧ ଲେଖିପାରୁନଥିଲେ । ଫଳରେ ସାମାନ୍ୟ ଚିକିତ୍ସା କ୍ଷେତ୍ରରେ ବ୍ୟାଘାତ ହେଉଥିଲା । ଏବେ ଏହି ନିର୍ଦ୍ଦେଶନାମା ବଳରେ ସେମାନେ ଔଷଧ ଲେଖିବେ । ଏହାସହ ସେମାନଙ୍କ ପାଇଁ ଏକ ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁଯାୟୀ ସେମାନେ ରୋଗୀ ମାନଙ୍କୁ ଔଷଧ ଦେଇପାରିବେ ବେଲି କୁହାଯାଇଛି।