ସନଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର: ଟିଟିଲାଗଡରେ ଆସିପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ। ଆଜି ସେଠାରେ ବିଜୁ ସ୍ମାର୍ଟ ହେଲ୍ଥକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ପାଟଣାଗଡ ଏବଂ ବଲାଙ୍ଗୀର ଗସ୍ତ କରିବେ।
ସୂଚନାଅନୁଯାୟୀ ବଲାଙ୍ଗୀର ଗସ୍ତ କରି ବଲାଙ୍ଗିର ବିକାଶ ପାଇଁ ପ୍ରାୟ ୬ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ସ୍ବତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରୁ ଟିଟିଲାଗଡ଼ ମିନି ଷ୍ଟାଡିୟମ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ଼ ବଣ୍ଟନ କରିବେ । ଏହା ପରେ ପାଟଣାଗଡ଼ରେ ବିଜୁ ସ୍ବାସ୍ଥ୍ୟ ହେଲଥ୍ କାର୍ଡ଼ ବଣ୍ଟନ ସହ ହରିଶଙ୍କର ଓ ନୃସିଂହନାଥ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ । ବଲାଙ୍ଗିର ଅତ୍ୟାଧୁନିକ ବସଷ୍ଟାଣ୍ଡ ଉଦ୍ଘାଟନ କରିବା ସହ ପାନୀୟ ଜଳ ଯୋଗାଣ, କୃଷି ଜଳସେଚନ ଭଳି ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ମାତ୍ର ୨୫୦ ଜଣଙ୍କୁ ଅନୁମତି ରହିଛି । ଏଥିରେ ଯୋଗଦେଉଥିବା ପୋଲିସ, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ୍ ଆରଟିପିସିଆର ଟେଷ୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।