ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପୂରା ବିଶ୍ବରେ କିପରି ଶାନ୍ତି ପ୍ରତିଷ୍ଠା କରାଯିବ ତାହା ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ଉଦ୍ଦେଶ୍ୟ । ଏ ବିଷୟରେ ସଂଯୁକ୍ତ ରାଷ୍ଟ୍ରର ଚାର୍ଟରରେ ବି ଉଲ୍ଲେଖ ଅଛି । ଦେଶ ଦେଶ ମଧ୍ୟରେ ସଂଘର୍ଷକୁ ରୋକିବା , ଶାନ୍ତିର ସଂସ୍କୃତିକୁ ବିକଶିତ କରିବା ପାଇଁ ୟୁଏନ୍ର ଜନ୍ମ ହୋଇଛି । ସଂଘର୍ଷ , ଆତଙ୍କ ଓ ଅଶାନ୍ତିର ଏହି ସମୟରେ ଶାନ୍ତିର ଗୁରୁତ୍ୱ ବୃଦ୍ଧି ପାଇଛି ଓ ଏହାର ପ୍ରଚାର – ପ୍ରସାର କରିବା ବହୁତ ଜରୁରୀ ଓ ପ୍ରାସଙ୍ଗିକ ହୋଇପଡ଼ିଛି । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ , ତା’ର ସବୁ ସଂସ୍ଥା , ବେସରକାରୀ ସଂଗଠନ , ସିଭିଲ୍ ସୋସାଇଟି ଓ ଦେଶର ସରକାରମାନେ ପ୍ରତିବର୍ଷ ଆଜିର ଦିନରେ ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସର ଆୟୋଜନ କରିଥାନ୍ତି । ଶାନ୍ତିର ବାର୍ତ୍ତାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚେଇବା ପାଇଁ ସଂଯୁକ୍ତ ରାଷ୍ଟ୍ର କଳା , ସାହିତ୍ୟ , ସିନେମା , ସଙ୍ଗୀତ ଓ ଖେଳ ଜଗତର ବିଶ୍ବବିଖ୍ୟାତ ହସ୍ତୀମାନଙ୍କୁ ଶାନ୍ତିଦୂତ ଭାବରେ ବି ନିଯୁକ୍ତ କରିଛି । ୧୯୮୨ରୁ ୨୦୦୧ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରରେ ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସ ପାଳନ କରାଯାଉଥିଲା । କିନ୍ତୁ ୨୦୦୧ରୁ ସେପ୍ଟେମ୍ବର ୨୧ ଅର୍ଥାତ ଆଜିର ଦିନରେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଦିବସ ଭାବରେ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ବିଶ୍ୱରେ ଶାନ୍ତି ଓ ଅମନ ପାଇଁ ପାଞ୍ଚୋଟି ମୂଳମନ୍ତ୍ର ଦେଇଥିଲେ । ଏହାକୁ ପଞ୍ଚଶୀଳ ନୀତି କୁହାଯାଏ । ମାନବ କଲ୍ୟାଣ ତଥା ବିଶ୍ୱଶାନ୍ତିର ଆଦର୍ଶଗୁଡ଼ିକୁ ସ୍ଥାପନା କରିବା ଓ ବିଭିନ୍ନ ରାଜନୈତିକ , ସାମାଜିକ , ଉନ୍ନତ ଆର୍ଥକ ବ୍ୟବସ୍ଥାଥିବା ଦେଶଗୁଡ଼ିକର ପାରସ୍ପରିକ ସହଯୋଗ ପାଇଁ ଏହି ପଞ୍ଚଶୀଳ ନୀତିକୁ ଆଧାରଭୂତ ସିଦ୍ଧାନ୍ତ ବୋଲି କୁହାଯାଇପାରେ। ଆଜିର ଦିନରେ ଧଳା ପାରା ଉଡ଼େଇବାର ପୁରୁଣା ପରମ୍ପରା ରହିଛି ।
ଚଳିତ ବର୍ଷ ଏହି ଦିନର ବିଷୟବସ୍ତୁ ହେଉଛି “ଏକ ସମାନ ତଥା ନିରନ୍ତର ବିଶ୍ୱ ପାଇଁ ଉନ୍ନତିର ପୁନରୁଦ୍ଧାର।” ଆନ୍ତର୍ଜାତୀୟ ସଂଗଠନ ଏହାର ସଦସ୍ୟମାନଙ୍କୁ ସୃଜନଶୀଳ ତଥା ସାମୂହିକ ଭାବରେ ଚିନ୍ତା କରିବାକୁ ଅନୁରୋଧ କରିଛି ଯେ କିପରି ସମସ୍ତେ କରୋନା ମହାମାରୀରୁ ସୁସ୍ଥ ହେବେ,ଅନ୍ୟକୁ ସାହାଯ୍ୟ କରିବେ, ସ୍ଥିରତା କିପରି ବିକାଶ କରିବେ ଏବଂ କିପରି ରୂପାନ୍ତର କରିବେ?
ବର୍ତ୍ତମାନ ସାରା ଦେଶ କରୋନା ମହାମାରୀ ସହ ଲଢ଼ୁଛି। ଏହିଭଳି ଘଡିସନ୍ଧି ମୂହୁର୍ତ୍ତରେ ସାରା ବିଶ୍ବକୁ କେବଳ ଧର୍ଯ୍ୟ ଏବଂ ଏକତାର ଆବଶ୍ୟକତା ରହିଛି। ମିଳିତ ଜାତିସଂଘ ଏହାର ଏକ ବିବୃତ୍ତିରେ କହିଛି ଯେ କରୋନାଭାଇରସ୍ ମହାମାରୀ ସମଗ୍ର ବିଶ୍ବ ପାଇଁ ଅଧିକ କଷ୍ଟ ଆଣିଦେଇଛି। ବିଶେଷ କରି ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱରେ ଥିବା ଅସମାନତାକୁ ସୂଚାଇ ଏହି ସଂଗଠନ କହିଛି ଯେ ଏପ୍ରିଲ,୨୦୨୧ ମସିହା ସୁଦ୍ଧା ବିଶ୍ବରେ ସ୍ତରରେ ୬୮୭ ନିୟୁତ କୋଭିଡ ଟିକା ଦିଆଯାଉଥିଲେ ମଧ୍ୟ, ୧୦୦ରୁ ଅଧିକ ଦେଶ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଡୋଜ ପାଇ ନାହାଁନ୍ତି।
ସ୍ୱାସ୍ଥ୍ୟସେବା ବ୍ୟତୀତ ଏହି ଆନ୍ତର୍ଜାତୀୟ ଶାନ୍ତି ଦିବସକୁ ଆମର ପ୍ରାକୃତିକ ପରିବେଶ ପ୍ରତି ଦୃଷ୍ଟି ଦେବା ପାଇଁ ମଧ୍ୟ ଆହ୍ବାନ ଦେଇଛି। ଯାହା ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରାରୁ ଆସୁଥିବା ବିପଦରେ ସମ୍ପର୍କରେ ମଧ୍ୟ କହିଛି। ଏହସହ ଜାତିସଂଘ ଏହାର ବିବୃତ୍ତିରେ କହିଛି ଯେ ଆମକୁ ପ୍ରକୃତି ସହ ଶାନ୍ତି ସ୍ଥାପନ କରିବାକୁ ହେବ ଏବଂ ପ୍ରକୃତି ସହିତ ରହିବାକୁ ହେବ।