ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏବଂ ଏହା ୩୦ ପର୍ଯ୍ୟନ୍ତ ଜାରି ରହିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ . ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ବଙ୍ଗୋପସାଗରରେ ଆଗାମୀ କିଛି ଦିନ ମଧ୍ୟରେ ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଗୁଡ଼ିକ ଦକ୍ଷିଣ ଚୀନ୍ ସାଗରରୁ ପଶ୍ଚିମ ଦିଗକୁ ଗତି କରି ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛି । ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର – ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି । ଯାହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ରବିବାରରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ , କେନ୍ଦ୍ରାପଡ଼ା , ପୁରୀ , ଜଗତସିଂହପୁର , ଖୋର୍ଦ୍ଧା , କଟକ , କେନ୍ଦୁଝର , ମୟୂରଭଞ୍ଜ , ଯାଜପୁର , ସୁନ୍ଦରଗଡ଼ , ସୋନପୁର , ବୌଦ୍ଧ , ଦେଓଗଡ଼ , ସମ୍ବଲପୁର , ବରଗଡ଼ , ବଲାଙ୍ଗୀର , କନ୍ଧମାଳ , ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।
ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖରେ ଅନ୍ୟ ୩୦ ପର୍ଯ୍ୟନ୍ତ ଜାରି ରହିବା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ୨୫ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ୨୬ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଥିବା ଜଣାପଡ଼ିଛି । ଏହାର ପ୍ରଭାବରେ ୨୬ ଓ ୨୭ ତାରିଖରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନ୍ୟ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ ବୋଲି ଡ . ସାହୁ ପୂର୍ବାନୁମାନ କରିଛନ୍ତି ।