ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି । ଉଚ୍ଚଶିକ୍ଷାନୁଷ୍ଠାନରେ ମଧ୍ୟ ପର୍ଯ୍ୟାୟକ୍ରମେ ପାଠପଢା ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ନେଇ ଆରମ୍ଭ ହୋଇଛି ବିଚାରବିମର୍ଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆଲୋଚନା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଯୁକ୍ତ ଦୁଇରେ ନୂଆ ନାମ ଲେଖାଇଥିବା ପ୍ରଥମ ବର୍ଷ ଏକାଦଶ ) ଛାତ୍ରଛାତ୍ରୀଙ୍କର ପ୍ରଥମେ ପାଠପଢା ଆରମ୍ଭ ହେବ । ଏନେଇ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନିଆଯିବ । ଚଳିତ ମାସ ୨୭ ରୁ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ କନିଷ୍ଠ ମହାବିଦ୍ୟାଳୟ ଖୋଲିବାକୁ ଚାଲିଛି ଯୋଜନା । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଏକାଦଶ ଶ୍ରେଣୀ ଖୋଲିବା ପରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବ ବୋଲି କଳ୍ପନା କରାଯାଉଛି । ଏନେଇ ରାଜ୍ୟ ସରକାର ବିଭାଗ ଠାରୁ ମତ ଲୋଡିଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ବହୁ ପିଲା ଅଧାରୁ ପାଠ ଛାଡୁଛନ୍ତି । ଏହାକୁ ରୋକିବା ପାଇଁ ସରକାର ବିଦ୍ୟାଳୟ ଖୋଲିବା ନେଇ ଯୋଜନା କରୁଛନ୍ତି । ଅକ୍ଟୋବରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଯୋଜନା କରାଯାଇଛି । କରୋନା ସଂକ୍ରମଣ ଦିନକୁ ଦିନ କମୁଥିବାରୁ ଏଭଳି ଯୋଜନା କରାଯାଇଛି । ମୁଖ୍ୟତଃ ବିଦ୍ୟାଳୟ ବନ୍ଦ ଯୋଗୁଁ ଉପାନ୍ତ ଅଞ୍ଚଳର ବିଦ୍ୟାର୍ଥୀ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି । ଉପାନ୍ତ ଅଞ୍ଚଳରେ ଏବେ ସଂକ୍ରମଣ ପୂର୍ବ ଅପେକ୍ଷା କମ ଥିବାରୁ ବିଭାଗ ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ରେ ପାଠପଢା ସ୍ବାଭାବିକ କରିବାକୁ ଲକ୍ଷ୍ୟ ରଖୁଛି । ତେବେ ଏଯାଏଁ ବିଦ୍ୟାଳୟ ଖୋଲିବା ନେଇ କୌଣସି ଘୋଷଣା ହୋଇ ନଥିବାବେଳେ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ( ଏଆରସି ) ଦ୍ଵାରା ଜାରି ନିୟମାବଳୀରେ ପାଠପଢା ଯିବ । କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା ହେବା ସହ ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା , ମାସ୍ ପରିଧାନ ଭଳି କଟକଣାକୁ କଡ଼ାକଡ଼ି କରାଯିବ । ଏହାସହ ସମସ୍ତ ବିଦ୍ୟାଳୟରେ ଆଇସୋଲେସନ କ୍ଲାସ ରୁମର ବ୍ୟବସ୍ଥା କରାଯିବ। ଯାହା ଠାରୁ କରୋନା ର କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ସେହି କକ୍ଷାରେ ରଖାଯିବ। ଏହା ସହ ଶିକ୍ଷକଙ୍କ ମାନଙ୍କର ଡବଲ ଡୋଜ ଟୀକା ନେବା ପାଇଁ ମଧ୍ୟ କୁହାଯାଇଛି।