ସନଷ୍ଟାର ଟିଭି ବ୍ୟୁରୋ
ଧଉଳି : ନିଜ ଖୋଳିଥିବା ଗାତରେ ନିଜେ ପଡିଲେ । ପରିଣାମ ଜେଲ୍ ଗଲେ। ନିଜ ଅପହରଣ ନାଟକ ନିଜେ ରଖିଥିବା ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ପୁଲିସ ତା ’ ବିରୋଧରେ ଅପହରଣ ସମେତ ୧୦ଟି ଦଫା ଲଗାଇବା ସହ ଆଜି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ତାକୁ ଝାରପଡ଼ା ଜେଲ୍ କୁ ପଠାଇ ଦିଆଯାଇଥିଲା । ପୁଲିସ ସୂଚନା ଅନୁସାରେ , ଚିକୁନ୍ ଯେଉଁ ଅପହରଣ ନାଟକ ତିଆରି କରିଥିଲା ତାହା ଅତି ସାଂଘାତିକ ଥିଲା । ଛୁରାମାଡ଼ ସହ ଗାଡ଼ିରେ କି ନେବା , ଟଙ୍କା ଛଡ଼ାଇବା , ଜୀବନରୁ ମାରିଦେବାର ଧମକ ଭଳି ମିଛ କାହାଣୀ ତିଆରି କରିଥିଲା । ଏଥିରେ ସାଧାରଣ ଲୋକ ଭୟଭୀତ ହେବା ସହ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ତେଣୁ ଏ ନେଇ ଚିକୁନ୍ ବିରୋଧରେ ଆଇପିସିର ଦଫା ୧୨୦ ( ବି ) , ୧୮୨ , ୨୦୧ , ୨୧୧ , ୩୬୪ , ୪୧୭ , ୪୧୮ , ୪୧୯ , ୫୦୪ ଓ ୫୦୫ ଦଫାରେ ମାମଲା ରୁଜୁ ହୋଇଛି ସେହିପରି ଯେଉଁ ମୋବାଇଲରୁ ସେ ପତ୍ନୀ ଅହଲ୍ୟାଙ୍କ ପାଖକୁ ଦ୍ୱାରା ଭଏସ୍ ମେସେଜ୍ ପଠାଇଥିଲା ତାହାକୁ ମଧ୍ୟ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ ଚିକୁନ୍ ମିଛ ଅପହରଣ ନାଟକ ତିଆରି କରି ପରିବାର ଲୋକ ଓ ପୁଲିସକୁ ବିଭ୍ରାନ୍ତ କରିଥିଲା । ଏହାସହ ନିଜ ପ୍ରେମିକା ସହ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଯେଉଁଥିରେ ସେ ବିଫଳ ହେଇ ଶେଷରେ ଜେଲରେ ବନ୍ଦି ହୋଇଥିଲା।