ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବର୍ତ୍ତମାନ ଏହା କମିଛି। ଗତକାଲି ଠାରୁ କିଛିକିଛି ଜିଲ୍ଲାରେ ବର୍ଷାର ପରିମାଣ କମିଛି। କିନ୍ତୁ ଆଗକୁ ଆସୁଛି ଆଉ ଦୁଇଟି ଲଘୁଚାପ। ରାଜ୍ୟରେ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମାଆଁମାର ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି । ଏହା ଧୀରେଧୀରେ ପଶ୍ଚିମ – ଉତ୍ତର – ପଶ୍ଚିମ ଦିଗରେ ଗତି କରିବା ସହ ୧୮ ତାରିଖ ଆଡ଼କୁ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳର ଉତ୍ତର – ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୧୮ ତାରିଖ ଦିନ ବାଲେଶ୍ବର , ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଡ୍ ଜାରି କରାଯାଇଛି । କେନ୍ଦ୍ରର ସୂଚନା ଅନୁଯାୟୀ , ୧୯ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ । ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବିଶେଷ କରି ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ସୁନ୍ଦରଗଡ଼ , କେନ୍ଦୁଝର , ମୟୁରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଡି ଜାରି ହୋଇଛି । ୨୦ ତାରିଖ ଦିନ ବି ଏହି ଘୂର୍ଣ୍ଣିବଳୟର ପ୍ରଭାବ ରହିବ । ଏଣୁ ଝାରସୁଗୁଡ଼ା , ସୁନ୍ଦରଗଡ଼ , ବରଗଡ଼ , ଦେବଗଡ଼ , ସମ୍ବଲପୁର ଆଦିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।