ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କୋଭିଡ୍ କଟକଣା ମଧ୍ୟରେ ଏଥର ବି ପାର୍ବଣ ବିତିବ । ନିରାଡ଼ମ୍ବର ହେବ ଦଶହରା । ବିନା ଭକ୍ତରେ ପୂଜା ସମ୍ପନ୍ନ ହେବ । ତେବେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତାକୁ ନେଇ ଯେଉଁ କେଁ ରହିଥିଲା , ତା ’ ଉପରେ ସରକାର ଆଭିମୁଖ୍ୟ ସ୍ପଷ୍ଟକରିଛନ୍ତି । ମୁର୍ତ୍ତିର ଉଚ୍ଚତା ବଢ଼ିବନି । ୪ ଫୁଟ୍ ଉଚ୍ଚତା ମଧ୍ୟରେ ମୁର୍ତ୍ତିର ସୀମିତ ରହିବ । ଏହାସହ ପୂଜା ମଣ୍ଡପକୁ ତିନିପଟୁ ପରଦା ଟାଙ୍ଗି ପୂଜା କରିବାକୁ ପଡ଼ିବ । ପୂଜା ସମୟରେ କେବଳ ୭ ଜଣ ଉପସ୍ଥିତ ରହିପାରିବେ । ସାଧାରଣ ଲୋକ ଦର୍ଶନ କରିପାରିବେ ନାହିଁ । ଭସାଣି ଶୋଭାଯାତ୍ରା ହେବନାହିଁ । ମେଲୋଡି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନ ( ଏଆରସି ) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତ ରହିବ। ଏପରିକି ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଆଉ କିଛିଦିନ ପାଳିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଏଆରସି । ସରକାର ସମସ୍ତଙ୍କ ଆବେଗ ବୁଝିଥିଲେ ମଧ୍ୟ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି । ଏବେ ଅତି କଠିନ ସମୟ ଦେଇ ଗତିକରୁଛି । ତେଣୁ ଏ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ । ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି । ତେଣୁ ବିପଦକୁ ଡାକି ଆଣିଲାଭଳି ପରିସ୍ଥିତି କରିବାକୁ ଚାହୁଁନି ଓଡିଶା।