ସନଷ୍ଟାର ଟିଭି ବ୍ୟୁରୋ
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା ,
ନିର୍ବିଘ୍ନମ୍ କୁରୁମେ ଦେବ ସର୍ବ କାର୍ଯ୍ୟଶୁ ସର୍ବଦା ।
ରିର୍ପୋଟ: ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଦ୍ୟାର ଦେବତା ଆଦିଦେବ , ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ସେ ପ୍ରତ୍ୟେକ ହିନ୍ଦୁଙ୍କ ଆଦି ଆରାଧ ଦେବତା । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ । କୌଣସି ବି ଶୁଭ କାର୍ଯ୍ୟ ହେଉନା କାହିଁକି ପ୍ରଥମେ ଶ୍ରୀ ଗଣେଶଙ୍କୁ ଆରଧନା କରାଯାଏ। ତାଙ୍କୁ ପ୍ରଥମେ ସ୍ମରଣ ନକରିଲେ କୌଣସି କାର୍ଯ୍ୟର ଆରମ୍ଭ କରାଯାଏ ନାହିଁ। ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗଣେଶ ଚତୁର୍ଥୀ ବେଶ ଆଡ଼ମ୍ବରରେ ପାଳିତ ହୁଏ । ଅନେକ ସ୍ଥାନରେ ପୂଜାୟ ୧୧ ଦିନ ଧରି ବେଶ ଧୂମ୍ଧାମରେ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଥାଏ । ସେହିପରି ଦେଶର ବିଭିନ୍ନ ରାଜ୍ୟରେ ଶ୍ରୀଗଣେଶ ଚତୁର୍ଥୀ ଯଥାରୀତି ପାଳିତ ହୋଇଥାଏ । ମହାରାଷ୍ଟ୍ରରେ ଜାତୀୟ ପର୍ବ ଭାବେ ଏହା ପାଳନ କରାଯାଏ । ଲୋକେ ଘରେ ଘରେ ବିଘ୍ନହର୍ତ୍ତାଙ୍କ ମୂର୍ତ୍ତି ସ୍ଥାପନା କରି ଆସ୍ଥା ଓ ବିଶ୍ୱାସର ସହ ପୂଜାର୍ଚ୍ଚନା କରିଥାନ୍ତି । ହିନ୍ଦୁ ଧର୍ମରେ ଗଣେଶଙ୍କୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇଛି । ସେ ବିଘ୍ନ ହର୍ତ୍ତା । ଯେକୌଣସି ଧାର୍ମିକ ଉତ୍ସବ , ଯଜ୍ଞ , ପୂଜା ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ କିମ୍ବା ବିବାହୋତ୍ସବମାନଙ୍କରେ ନିର୍ବିଘ୍ନରେ କାର୍ଯ୍ୟ ସମ୍ପନ୍ନ ହେବା ଲାଗି ସର୍ବ ପ୍ରଥମେ ଗଣେଶଙ୍କ ପୂଜା କରାଯାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ବେଶ ଧୂମଧାମରେ ପୂଜାଚର୍ଚ୍ଚନା କରାଯାଉ ନାହିଁ। ଭଗବାନ ହୃଦୟରେ ବସନ୍ତି। ତାଙ୍କୁ ଭଲ ମନରେ ଆହ୍ବାନ କରିଲେ ସେ ଆମର ଡାକ ନିଶ୍ଚୟ ଶୁଣିବେ।