ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନ ରୋଗରେ ପିଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ଶକ୍ତି , ଶିଳ୍ପ ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସାକ୍ଷାତ କରିଛନ୍ତି । ଉଭୟ ମନ୍ତ୍ରୀ ସେଠାରେ ପ୍ରାୟ ଅଧଘଣ୍ଟା ରହି ଶ୍ରୀ ନାଏକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରାୟ ଛଅ ମାସ ତଳୁ କୋଭିଡ୍ ଆକ୍ରାନ୍ତ ହୋଇ ଶ୍ରୀ ନାଏକ ଏମ୍ନରେ ଚିକିତ୍ସାଧୀନ ଅଛନ୍ତି । ମଝିରେ ସ୍ଵାସ୍ଥ୍ୟ ଅତି ଗୁରୁତର ହେବାଯୋଗୁଁ ବହୁ ଦିନ ଯାଏଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ସେ ଭେଣ୍ଟିଲେଟରରୁ ବାହାରି ଥିଲେ ହେଁ ସ୍ବାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ରହିଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବେ। ସ୍ବାସ୍ଥ୍ୟମନ୍ତ୍ରୀ , ଶ୍ରୀ ନାଏକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ତାଙ୍କ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ବୋଲି କହିଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧୀଦଳ ନେତାଙ୍କୁ ଆଗୁଆ ନୂଆଖାଇ ଅଭିନନ୍ଦନ ଜଣାଇବା ସହିତ ସମଗ୍ର କଳାହାଣ୍ଡିବାସୀ ଶ୍ରୀ ନାଏକଙ୍କ ଆଶୁ ଆରୋଗ୍ୟ କାମନା କରୁଥିବା ଜଣାଇଥିଲେ ।