ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ୱୟଂ ଶାସିତ ଓ ଡିଗ୍ରୀ ମହାବିଦ୍ୟାଳୟରେ ସ୍ନାତକ ( + ୩ ) ନାମଲେଖା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏନେଇ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖା ଅବଗତ କରାଯାଇଛି । ଅନ୍ୟପକ୍ଷରେ ଆସନ୍ତାକାଲି ( ଶନିବାର ) ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହେବ । ଆସନ୍ତାକାଲି ରାତି ୧୧ଟା୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ସେପ୍ଟେମ୍ବର ୯ ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ସାନ୍ସ ପୋର୍ଟାଲରେ ନାମଲେଖା ଦେୟ ଦାଖଲ କରିବେ । ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ଜାହିର ( ରିପୋର୍ଟ ) ସହ ନାମଲେଖା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ତେବେ ୧୧ ତାରିଖରେ ନୂଆଁଖାଇ ଓ ୧୨ ତାରିଖରେ ରବିବାର ଥିବାରୁ ଦୁଇ ଦିନ ଛୁଟି ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ରୁ ୧୬ ତାରିଖ ମଧ୍ୟରେ ଧାର୍ଯ୍ୟ ମହାବିଦ୍ୟାଳୟରେ ନାମ ଲେଖାଇପାରିବେ । ନାମଲେଖା ପରେ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ସନ୍ଧ୍ୟା ୭ଟା ସୁଦ୍ଧା କେତେ ବିଦ୍ୟାର୍ଥୀ ନାମ ଲେଖାଇଲେ ତା’ର ତାଲିକା ଉ – ସ୍ପେସରେ ଦାଖଲ କରିବେ । ରାଜ୍ୟର ୧୦୨୨ ମହାବିଦ୍ୟାଳୟ ପାଇଁ ଏଯାବତ୍ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଆସନ୍ତାକାଲି ଶନିବାର ଆବେଦନ ସରିବାକୁ ଥିବାରୁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି ସେମାନେ ସାମ୍ସୱେବସାଇଟ୍ www . samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ( ସିଏଏଫ୍ ) ପୂରଣ କରି ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ ।