ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା : ଦୁର୍ଗାପୂଜା ତଥା ନବରାତ୍ରୀ ମହୋତ୍ସବ ପାଳନ ପାଇଁ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏହି କ୍ରମରେ କୋଲକାତା ଦୁର୍ଗାପୂଜା ମଣ୍ଡପରେ ଦେବୀ ପ୍ରତିମା ସହିତ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରତିମା ସ୍ଥାପନ ପାଇଁ ଯୋଜନା ଚାଲିଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ଏହା ହିନ୍ଦୁଙ୍କ ଭାବନା ପ୍ରତି ଅପମାନ ବୋଲି ବିଜେପି କହିଛି । ପ୍ରଖ୍ୟାତ ମୁଇଁ ଦିଦି ହେଲେ ଦେବୀ କାରିଗର ମିଶ୍ରୁ ପାଲ୍ କୁମାରଟୁଲୀସ୍ଥିତ ନିଜ ଷ୍ଟୁଡିଓ ରେ ଧଳା ଶାଢ଼ି ଏବଂ ନିଜର ଟ୍ରେଡ୍ ମାର୍କ ସୂପର୍ ଚପଲ୍ ପିନ୍ଧିଥିବା ମମତାଙ୍କର ଦେବୀରୂପୀ ଫାଇବର ଗ୍ଲାସ୍ର ପ୍ରତିମା ନିର୍ମାଣ କରିଛନ୍ତି । ଏହି ପ୍ରତିମାର ୧୦ଟି ହାତ ରହିଛି । ତେବେ ଏଥିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବଦଳରେ ମମତା ସରକାରଙ୍କ ୧୦ଟି ଯୋଜନା ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି। ଆୟୋଜକମାନେ ଏହି ହାତ ମାଧ୍ୟମରେ ସରକାରଙ୍କ କନ୍ୟାଶ୍ରୀ , ସତୀ , ରୂପାଶ୍ମୀ , ସବୁଜସାଥୀ , ଲକ୍ଷ୍ମୀର ଭଣ୍ଡାର ଆଦି ଯୋଜନାର ପ୍ରଚାର କରିବାକୁ ଇଚ୍ଛୁକ ବୋଲି ଶ୍ରୀ ପାଲ କହିଛନ୍ତି । ମମତାଙ୍କ ଦେବୀମୂର୍ତ୍ତି କୋଲକାତା ସହରର ଉତ୍ତରରେ ଥିବା କେଷ୍ଟୋପୁରର ଉନ୍ନୟନ ସମିତିର ଦୁର୍ଗାପୂଜା ମଣ୍ଡପଟି ‘ ଲକ୍ଷ୍ମୀର ଭଣ୍ଡାର ’ ଉପରେ ଆଧାରିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି । ଲକ୍ଷ୍ମୀର ଭଣ୍ଡାର ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏକ ଆୟ ସହାୟତା ଯୋଜନା । ସେହିପରି ୩ୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହାର ଖୁସି ମନାଇବାକୁ ଯାଇ ଚଳିତ ବର୍ଷ ଭବାନୀପୁର ୭୫ ପଲ୍ଲୀ ପୂଜା ସମିତି ଏକ ନୂଆ ଥିମ୍ ‘ ଘୋର୍ ମେୟେ( ଘରର କନ୍ୟା ) ଆପଣାଇଛି ବୋଲି ଏହାର କର୍ମକର୍ତ୍ତା କହିଛନ୍ତି । ତେବେ ମମତାଙ୍କ ଦେବୀରୂପୀ ପ୍ରତିମା ନିର୍ମାଣକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହ ଏହାର କଡ଼ା ବିରୋଧ କରିଛି । ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବୀୟ ଟିଟ୍ କରିଛନ୍ତି , ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରର ଭୀଷଣ ହିଂସା ପରେ ମମତା ବାନାର୍ଜୀଙ୍କ ହାତରେ ନିର୍ଦ୍ଦୋଷ ବଙ୍ଗାଳୀଙ୍କ ରକ୍ତର ଛିଟା ଲାଗିଛି । ଦେବୀ ପ୍ରତିମାର ଏହି ବିରୂପ ଦମନକାରୀ । ଏହା ଦେବୀ ଦୁର୍ଗାଙ୍କ ଅପମାନ । ମମତା ଏହାକୁ ରୋକିବା ଉଚିତ । ଏହା ହିନ୍ଦୁଙ୍କ ଧର୍ମଭାବନାକୁ ଆଘାତ ଦେଉଛି । ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।