ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା। ତାଙ୍କ ଆରୋଗକୟ କାମନା କରିଥିବା ପ୍ରତ୍ୟକ ବ୍ୟକ୍ତିତ୍ବଙ୍କୁ ଏଥିପାଇଁ ସେ ତାଙ୍କ ଫେସବୁକ ଜରିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ମାଣିକେଶ୍ଵରୀଙ୍କ ଅପାର କୃପାରୁ ମୁଁ ସୁସ୍ଥ ହେଉଛି । ଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ଦୀପ ଜାଳି ମୋ ପାଇଁ ପୂଜା ଅର୍ଚ୍ଚନା କରିଥିବା ଏବଂ ମୋତେ ଭଲପାଉଥିବା ଜନସାଧାରଣଙ୍କ ପ୍ରାର୍ଥନା ଦ୍ବାରା ମୁଁ ଧିରେ ଧିରେ ସୁସ୍ଥ ହେଉଅଛି । ମୋର ସମସ୍ତ ଶୁଭେଚ୍ଛୁ ମାନଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ । ମୁଁ କୋଭିଡରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ସମସ୍ତ ପ୍ରକାରର ଉନ୍ନତ ମାନର ଚିକିତ୍ସା ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାଯୋଗରେ ଥିଲେ ।
ପରିବାରର ମାନସିକ ସ୍ଥିତିକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ମୋ ସ୍ତ୍ରୀ ସହ କଥା ହେଇଥିଲେ । ମୋର ଜୀବନର ସବୁଠୁ କଷ୍ଟଦାୟକ ସମୟରେ ପ୍ରଧାନମନ୍ତ୍ରୀ ମୋ ପରିବାରର ମୁଖିଆ ସାଜି ମୋ ପରିବାର ସହ ଠିଆ ହୋଇଥିଲେ । ମୁଁ ଅନ୍ତର୍ମନରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଦୀପ୍ତଙ୍କୁ କିଛି ଅସୁବିଧା ହେବାକୁ ଦେବି ନାହିଁ । ଏହି ବିଶ୍ୱାସର ସହ ପ୍ରତ୍ୟେକ ଦିନ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋତେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।
ଏହା ସହ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ । ଡାକ୍ତର ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପାଇଁ ତାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ । ବିଜେପିର ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ, ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ୍ତ । ବିପଦ ସମୟରେ ସମସ୍ତେ ମୋର ପରିବାର ସହ ଠିଆ ହୋଇଥିଲେ ବୋଲି ସେ କହିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ । ଏବେ ମୁଁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଅଛି । ଆପଣ ମାନଙ୍କ ଅପାର ଭଲ ପାଇବା ଏବଂ ମାଁ ମାଣିକେଶ୍ଵରୀ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଅଛି ।
ମୋତେ ଫେସବୁକ୍ ଏବଂ ଟ୍ୱିଟର ମାଧ୍ୟମରେ ରାଜ୍ୟର ବହୁ ସମସ୍ୟା ଲୋକ ଜଣାଉଛନ୍ତି । ମୋର ସ୍ବାସ୍ଥ୍ୟ ଅବସ୍ଥା ପାଇଁ ମୁଁ ଆପଣ ମାନଙ୍କ ସହ ମିଶି ପାରୁ ନାହିଁ । ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାରର ଲଢେଇ ଲଢି ପାରୁନାହିଁ । ତଥାପି ଯାହା କିଛି ସମସ୍ୟା ମୋର ଦୃଷ୍ଟିଗୋଚର ହେଉଛି ମୁଁ ଚିଠି ଜରିଆରେ ଓଡିଶା ସରକାରକୁ ଜଣାଉଛି । ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ପୂର୍ବ ଭଲି ଆପଣ ମାନଙ୍କ ସହ ମିଶିବି । ମୁଁ ଆପଣ ମାନଙ୍କ ପାଖକୁ କେବେ ଯାଇପାରିବି ସେହି ସମୟକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି ବୋଲି ସେ ଲେଖିଛନ୍ତି ।