ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଆଜି କାଲି ସାଇବର କ୍ରାଇମ ବଢ଼ିବାରେ ଲାଗିଛି। ପ୍ରତିଦିନ ଲୋକେ ଏହାର ଶୀକାର ହେଉଛନ୍ତି। ଏବେ ଲୋକ ମାନଙ୍କୁ ମିଛ ନାଁ ଆଡରେ ଲୁଟୁଛନ୍ତି ଲୁଟେରା। କିଏ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ତ କିଏ ଚାକିରୀ ଆଡରେ ଲୋକଙ୍କୁ ଠକୁଛି । ଏହିପରି ଏକ ଘଟଣା ସାମ୍ନାକୁ ଆସିଛି। ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା ଜଣେ ଯୁବକକୁ ଆଜି ପୁଲିସ ଗିରଫ କରିଛି। ଅଭିଯୁକ୍ତ ଗୋପାଳ ଶତପଥୀକୁ ଗିରଫ କରିଛି ପୁଲିସ। ରେଳ ଅଧିକାରୀଙ୍କ ବଦଳି ଓ ପ୍ରମୋସନ କରାଇବାକୁ କହି ସେ ଟଙ୍କା ନେଉଥିଲା। ଅଭିଯୁକ୍ତ ଗୋପାଳ ଦିଲ୍ଲୀରେ ରହି ଗ୍ୟାଙ୍ଗ ତିଆରି କରୁଥିଲା।
କିନ୍ତୁ ଏହି ଠକେଇ ମାମଲାରେ ଚନ୍ଦ୍ରଶେଖରପୁର ପୁଲିସକୁ ବଡ଼ ସଫଳତା ମିଳିଛି । ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଲୋଭ ଦେଖାଉଥିବା ବେଳେ ଫସିଥିଲା ଅଭିଯୁକ୍ତ। ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୁଲିସ। ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାର ଆଶଙ୍କା ରହିଛି।