ସନଷ୍ଟାର ଟିଭି ବ୍ୟୁରୋ

କଟକ: ଆସନ୍ତାକାଲି ହେବ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଅଫ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍ ଗାଇଡ୍ଲାଇନ୍ ଭିତରେ କରାଯିବ ବୋଲି ସୂଚନା ଦିଆ । ଶୁକ୍ରବାର ଦିନ ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୧୫ ଜଣ ଦେବେ ପରୀକ୍ଷା ଦେବେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି ।
ସେହି କ୍ରମରେ ୫୦୪ଟି ଯାକ ସେଣ୍ଟରରେ ନିୟୋଜିତ ହେବାକୁ ଥିବା ନିରୀକ୍ଷକ ବା ଇନ୍ଭିଜିଲେଟର୍ମାନଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ରଖାଯାଇଛି । କୋଭିଡ୍ ଟେଷ୍ଟ ପରେ ନେଗେଟିଭ୍ ରିପୋର୍ଟ ଥିବା ଶିକ୍ଷକମାନେ ହିଁ କେନ୍ଦ୍ରଗୁଡ଼ିକରେ ନିରୀକ୍ଷକ ଦାୟିତ୍ୱରେ ରହିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଥଣ୍ଡା, ଛିଙ୍କ ଏବଂ ଜ୍ୱର ଆଦି ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କୁ ଅନ୍ୟ ପରୀକ୍ଷାର୍ଥୀମାନଙ୍କଠାରୁ ଦୂରେଇ ରଖି ପରୀକ୍ଷା ଦେବା ଲାଗି ପ୍ରତି ସେଣ୍ଟରରେ ଆଇସୋଲେସନ୍ ରୁମ୍ ରଖିବା ଲାଗି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପ୍ରବେଶ କରିବା ପୂର୍ବରୁ ଗେଟ୍ରେ ଥର୍ମାଲ୍ ସ୍କ୍ରିନିଂ କରିବା ସହ ହାତ ସାନିଟାଇଜ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର, ଓଏମ୍ଆର୍ ସିଟ୍ ଓ ପରୀକ୍ଷା ସମ୍ପର୍କିତ ଅନ୍ୟ ସମସ୍ତ କାଗଜପତ୍ର ପହଞ୍ଚି ସାରିଛି । ପ୍ରଶ୍ନପତ୍ର ସୁରକ୍ଷା ଲାଗି କେନ୍ଦ୍ରଗୁଡ଼ିକରେ ପୁଲିସ୍ କର୍ମଚାରୀଙ୍କୁ ସିଫ୍ଟ ଅନୁସାରେ ମୁତୟନ ସହ କର୍ମଚାରୀଙ୍କୁ ସୁରକ୍ଷାରେ ନିୟୋଜିତ କରିବା ଲାଗି ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଳେଖ ଯୋଗ୍ୟ ଯେ, ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଦେବାକୁ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଶୁକ୍ରବାରଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବ । ଅଗଷ୍ଟ ୨୨ ସୁଦ୍ଧା ଫଳ ପ୍ରକାଶ ପାଇବ । ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ କରାଯିବ । କେନ୍ଦ୍ରରେ ଥିବା ସମସ୍ତ କର୍ମଚାରୀଙ୍କ ଥର୍ମାଲ୍ ସ୍କ୍ରିନିଂ, ହ୍ୟାଣ୍ଡ ସାନିଟାଇଜ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।