ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶାରେ ନର୍ସରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷରେ ନିକଟରେ ରାଜ୍ୟର ୱାଲ୍ଡେନ୍ ଉଡ୍ସ ଇକୋ ଭିଲେଜ ଏବଂ
ଆନ୍ଧ୍ରପ୍ରଦେଶର ସାର୍ ଆର୍ଥର କଟ୍ଟନ୍ ନର୍ସରୀ ଫାର୍ମର୍ସ ଆସୋସିଏସନ୍ (ଏସ୍.ଏ.ସି.ଏନ୍.ଏଫ୍.ଏ) ଓ କଡିଅମ ନର୍ସରୀ ଫାର୍ମର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍
(କେ.ଏନ୍.ଏଫ୍.ପି.ଏ) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ୱେଭ୍ର ପ୍ରତିଷ୍ଠାତା ବିଶିଷ୍ଟ ପରିବେଶବିତ୍ ତଥା ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଇକୋର ସଭାପତି ରାମକୃଷ୍ଣ ଦାଶ ଏବଂ ଆନ୍ଧ୍ରପ୍ରଦେଶର ନର୍ସରୀ ମଣିଷ ଭାବରେ କ୍ଷାତନାମା ଓ ଏସ୍.ଏ.ସି.ଏନ୍.ଏଫ୍.ଏ ଓ କେ.ଏନ୍.ଏଫ୍.ପି.ଏ ର ସଭାପତି ପୁଲ୍ଲା ସତ୍ୟଦେବ ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି ।ରାଜିନାମା ଅନୁଯାୟୀ ୱେଭ୍, ଓଡ଼ିଶାରେ ନାନା କିସମର ନର୍ସରୀର ବିକାଶ କରିବା ସକାଶେ କଡିଅମ୍ର ବିଶ୍ୱ ପ୍ରସିଦ୍ଧ ‘ମଡେଲ’କୁ କାର୍ଯ୍ୟାନ୍ୱୟନ କରିବ । କଡିଅମ୍ ଠାରୁ ୱେଭ୍ ଫଳ, ପୁଷ୍ପ, ଲତା ଏବଂ ଗୁଳ୍ମର ଚାରା ଓ ବୃକ୍ଷ ଆଦିକୁ ସୁଲଭ ଦରରେ ଖରିଦ କରିବା ସହିତ ନର୍ସରୀ ନିର୍ମାଣରେ ଏହାର ସଫଳ ଅର୍ଥନୈତିକ ଖସଡ଼ାପତ୍ର, ବଜାର ଯୋଗସୂତ୍ର ଏବଂ ପରିଚାଳନା ଶୈଳୀକୁ ପ୍ରଣୟନ କରିବ ।

ଓଡ଼ିଶାରେ ୱେଭ୍ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାରଦର୍ଶିତା ସହିତ ନର୍ସରୀ ପ୍ରତିଷ୍ଠା କରିବା ଦିଗରେ କଡିଅମ୍ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୌଶଳ, ଲଜିଷ୍ଟିକ୍ସ ସହଯୋଗ ଏବଂ ପେଶାଦାରୀ ତାଲିମ ଯୋଗାଇ ଦେବ ବୋଲି ଜଣାଯାଇଛି । ଫଳସ୍ୱରୁପ ୱେଭ୍ର କର୍ମଚାରୀମାନେ ଜ୍ଞାନ ଆହରଣ ଓ ତାଲିମ୍ ନେବା ପାଇଁ କଡିଅମ୍ ଗ୍ରସ୍ତରେ ଯିବା ସାଙ୍ଗକୁ କଡିଅମ୍ର କର୍ମକର୍ତ୍ତାମାନେ ମଧ୍ୟ ଓଡ଼ିଶା ଆସି ନର୍ସରୀର ଉଚ୍ଚ ଗୁଣାତ୍ମକ ମାନଦଣ୍ଡ ନିଧାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିବା ବିଷୟ ସ୍ଥିର କରାଯାଇଛି। ରାଜିନାମା ସ୍ୱାକ୍ଷର କରିବା ପରେ ୱେଭ୍ର ପରିଚାଳନା ଟ୍ରଷ୍ଟି ରାମକୃଷ୍ଣ ଦାଶ ଓଡ଼ିଶାରେ ପରିବେଶ ସୁରକ୍ଷା ଏବଂ ଶାଶ୍ୱତ ଗ୍ରାମୀଣ ବିକାଶକୁ ସମ୍ଭବପର କରିବା ପାଇଁ କଡିଅମ୍ ଭଳି ବ୍ୟାପକ ଭାବେ ସଫଳ ନମୁନାକୁ ଲାଗୁ କରିବା ସକାଶେ ସେ ଜନସାଧାରଣ, ପରିବେଶବିତ୍, ପ୍ରକୃତି ମିତ୍ର, ଶିଳ୍ପଦ୍ୟୋଗୀ, ଚାଷୀ, କୃଷି ବିଶେଷଜ୍ଞ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସଚେତନ, ସମ୍ପୃକ୍ତ ଓ ପ୍ରୋତ୍ସାହିତ କରିବେ ବୋଲି ଘୋଷଣା କରିଥିଲେ । ଓଡ଼ିଶା, ଭାରତ ବର୍ଷର ଦୁଇ ନମ୍ବର ସର୍ବାଧୀକ ଜଳପ୍ରସୂ ପ୍ରଦେଶ ହୋଇଥିବା ସାଙ୍ଗକୁ ଏଠାରେ ୧୦ଟି ଆଗ୍ରୋ କ୍ଲାଇମେଟିକ୍ ଜୋନ୍ ରହିଥିବାରୁ କଡିଅମ୍ ସହିତ ସହଭାଗୀତା ଭୂମିଗତ ବାସ୍ତବିକତାକୁ ଆଧାର କରି ଚୂଡ଼ାନ୍ତ କରାଯାଇଥିବା, ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଚଳିତ ଚୁକ୍ତି ନାମା ଓଡ଼ିଶା ପାଇଁ ବହୁ ଭାବରେ ବରଦାନ ପ୍ରମାଣିତ ହେବା ସାଙ୍ଗକୁ ରାଜ୍ୟରେ ନର୍ସରୀର ମାନଚିତ୍ରକୁ ଆମୂଳଚୂଳ ଭାବେ ବଦଳାଇ ଦେବାରେ ନିଶ୍ଚିତ ଭାବେ ସହାୟକ ହେବ
ବୋଲି ପରିବେଶ ଜଗତରେ ଆର.କେ. ଭାବରେ ପରିଚିତ ରାମକୃଷ୍ଣ ଦମ୍ଭ ବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ବାସୀନ୍ଦାମାନଙ୍କ ମଧ୍ୟରେ ଚାଣ୍ଟିଆ ଗାରୁ ଭାବରେ ଲୋକପ୍ରିୟ ପୁଲ୍ଲା ସତ୍ୟଦେବ, ଗୋଦାବରୀ ଉପତ୍ୟକାକୁ ଶସ୍ୟ ଶ୍ୟାମଳା କରିଥିବା ସାର୍ ଆର୍ଥର୍
କଟ୍ଟନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ କଡିଅମ୍ଠାରେ ପୃଥିବୀର ଅନ୍ୟତମ ବୃହତ୍ତମ ନର୍ସରୀ ସ୍ଥାପନ କରିବାର ଗୌରବ ଅର୍ଜନ କରିଛନ୍ତି । ବହୁବିଧ ଚାରା ଏବଂ ଗଛ ମହଯୁଦ ଥିବା ଏହି ନର୍ସରୀ କମ୍ପେ୍ଲକ୍ସରେ ମାତ୍ର ଟଙ୍କାଟିଏ ମୂଲ୍ୟରୁ ଆରମ୍ଭ କରି ଲକ୍ଷାଧୀକ ଟଙ୍କାର ବିରଳ ବୋନ୍ସାଇ ବୃକ୍ଷ ମଧ୍ୟ ଉପଲବ୍ଧ ହେଉଛି । ଚଢ଼ା ଋତୁରେ ଏଠାରୁ ଦେଶ ବିଦେଶକୁ ପ୍ରତ୍ୟେକ ଦିନ ପ୍ରାୟ ୨୫୦ଟି ଟ୍ରକ୍ରେ ଗଛଲତା ପଠାଯାଇଥାଏ । 
୨୦୦୫ ମସିହାରେ ଭୁବନେଶ୍ୱରଠାରୁ ମାତ୍ର ୬୦କି.ମି. ଦୂରବର୍ତ୍ତୀ କପିଳାସ ପାହାଡ଼ର ପାଦଦେଶରେ ୩୦୦ ଏକର ପରିମିତ ଜମିରେ ନିର୍ମିତ ୱାଲ୍ଡେନ୍ ଉଡ୍ସ
ଇକୋ ଭିଲେଜ ଏବେ କଡିଅମ୍ ସହଯୋଗରେ ଓଡ଼ିଶାର ସର୍ବବୃହତ ନର୍ସରୀ ସମୂହର ଶୁଭାରମ୍ଭ କରିବାକୁ ଯାଉଥିବା ଜଣାଯାଇଛି । ୱେଭ୍ର ଚତୁଃପାଶ୍ୱର୍ରେ ଥିବା ପାହାଡ଼ମାଳା, ବୃକ୍ଷରାଜି, ପ୍ରାକୃତିକ ଝରଣା, ସ୍ୱଚ୍ଛ ପରିବେଶ ଏବଂ ଉର୍ବର ଜମି ଏଠାରେ ଏକ ଅତ୍ୟାଧୁନିକ ଉନ୍ନତମାନର ନର୍ସରୀର ଉଦ୍ଭବ ପାଇଁ ସୁବିଧା, ସୁଯୋଗର ଅପାର ସମ୍ଭାର ସୃଷ୍ଟି କରିଥିବା ଲକ୍ଷ କରାଯାଉଛି । ନିକଟରେ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ଇକୋ ଭିଲେଜ୍ ଭାବରେ ଯୋଗ୍ୟ ବିବେଚିତ ହୋଇ ୱେଭ୍, ‘ଇଣ୍ଡିଆନ୍ ଆଇକନ୍’ ପୁରସ୍କାର ଲାଭ କରିଛି ।
ଆର୍. କେ. ଙ୍କ ସହିତ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଥିବା ପ୍ରତିନିଧି ଦଳ ମଧ୍ୟରେ ୱେଭ୍ର ସହସଂସ୍ଥାପକ ଦିଲ୍ଲୀପ ସ୍ୱାଇଁ, କୃଷିବୀତ୍ ବିରାଜକାନ୍ତ ବେହେରା, ବୈଷୟିକ ସହାୟକ ଅମରେଶ ମହାନ୍ତି, ଲଜିଷ୍ଟକ୍ସ ପରିଚାଳକ ମନୋଜ ମହାନ୍ତି ଏବଂ ମହାପ୍ରବନ୍ଧକ ବସନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
ରାଜମୁନ୍ଦ୍ରୀଠାରେ ଦୀର୍ଘ ଏକ ସପ୍ତାହ ରହଣି କାଳରେ ଏହି ଦଳ କଡିଅମ୍ ପୁଲା, କଡିଅମ୍, ଭେମ୍ଗିରି ଓ ରାଜମୁନ୍ଦ୍ରୀ ଇଲାକାର ୩୫୦୦୦ ଏକର ଜମିରେ
ପରିବ୍ୟାପ୍ତ ପ୍ରାୟ ୧୦୦ଟି ନର୍ସରୀ ଭ୍ରମଣ କରି ଚାରା ଓ ବୃକ୍ଷ ଚୟନ, ପରୀକ୍ଷାନୀରିକ୍ଷା, ମାନ ନିର୍ଦ୍ଧାରଣ ଏବଂ ଶେଷରେ ସଂଗ୍ରହ ଆଦି କାର୍ଯ୍ୟ ସମ୍ପନ୍ନ କରିଥିଲେ ।