ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଅଲିମ୍ପିଆନ ଦୂତି ଚାନ୍ଦ ଟୋକିଓ ଅଲମ୍ପିକ ପାଇଁ ଟିକେଟ୍ ହାସଲ କରିବା ପରେ କିଛି ଦିନ ପାଇଁ ଭୁବନେଶ୍ୱର ଆସିଥିଲେ। ଏଠାରେ ସେ ବିଭିନ୍ନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏବେ ସେ ହାଇଦ୍ରାବାଦ ଗସ୍ତ କରିଛନ୍ତି। ସେ ଏବେ ଦ ଗୌଡିୟମ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି । କୋଚ୍ ନାଗାପୁରୀ ରମେଶ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଦୂତି କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କିଛି ପୁଅ ପିଲାଙ୍କ ସହ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି । ସେ ତାଙ୍କ ଅଭ୍ୟାସ ଜାରି ରଖିବା ସହ ନିଜ ଫେସବୁକ ପେଜରେ ଲେଖିଛନ୍ତି ଯେ, କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରି ପାରିବ ନାହିଁ, ସବୁ ଆମ କର୍ମ ଉପରେ ନିର୍ଭର କରେ। ତେଣୁ କର୍ମକୁ ବିଶ୍ୱାସ କର, କର୍ମ ହିଁ ଭଗବାନ। ଦୂତି ପ୍ରଥମ ଭାରତୀୟ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୧୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ରିଓ ଅଲିମ୍ପିକ୍ସରେ କେବଳ ୧୦୦ ମିଟରରେ ଦୌଡ଼ିଥିଲେ । ଏଥର ସେ ଉଭୟ ୧୦୦ ଓ ୨୦୦ ମିଟରରେ ଦୌଡ଼ିବେ ।