ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭଗବାନ ଶିବଙ୍କ ଉପରେ ପାଣି ଢାଳିବା ପାଇଁ ଶ୍ରାବଣ ମାସରେ ଲକ୍ଷ ଲକ୍ଷ କାଉଡିଆ ପ୍ରତିବର୍ଷ ବୋଲବମ୍ ଯାତ୍ରା କରିଥାନ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍(IMA) ସୁପାରିଶ କରିଛି । କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍, ଆଇଏମଏ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସଂଘ କହିଛନ୍ତି ଯେ, ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ଜରୁରୀ ।
ଦେଶରେ କରୋନାର ପ୍ରଥମ ଲହର ପରେ ସତର୍କତା ଗ୍ରହଣ କରାନଯିବାରୁ ଦ୍ୱିତୀୟ ଲହର ଅଧିକ ଭୟାବହ ହୋଇପଡିଲା । ଏବେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି ଆଇଏମଏ ନିର୍ଦ୍ଦେଶ ଦେଇଛି ।