ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ପ୍ରଫେସର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ କମୁଛି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନ ସଂଖ୍ୟା କମି କମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତି ନେବେ । ସାମାନ୍ୟ ଢିଲାପଣ ବଡ଼ ବିପଦକୁ ଡାକି ଆଣିବ। ଲୋକମାନେ ଅବହେଳା ନକରନ୍ତୁ ।
ସେ ଆଉ ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର । ଯେଉଁମାନେ ଆସୁଛନ୍ତି ତାଙ୍କୁ କ୍ୱାରେଣ୍ଟାଇନ କରିବା ସହ ତାଙ୍କ ଉପରେ ନଜର ରହିବ । ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ସୀମାବର୍ତ୍ତି ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ । ତେଣୁ ଆମକୁ ସଚେତନ ରହିବା ଦରକାର ନ ହେଲେ ବିପଦ ପୁଣି ବଢ଼ିବ ।