ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: କରୋନା କମିବାର ନାଁ ନାହିଁ। ଆଉ ଏବେ ଚିନ୍ତା ବଢ଼ାଉଛି ଡେଙ୍ଗୁ। ବୋଝ ଉପରେ ଲଳିତା ବିଡା ସଦୃଶ ସ୍ତିତି ହେବାର ଲାଗିଲାଣି। ଭୁବନେଶ୍ୱର ର ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାରରେ ଘରେ ଘରେ ଏବେ ଡେଙ୍ଗୁ ରୋଗୀ ବାହାରିଲେଣି । ଏଠାରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ ଆଡକୁ ଗତି କଲାଣି । ଦୁଇ ଦିନରେ ୩୧ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୧୯ ପଜିଟିଭ୍ ବାହାରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁର ସ୍ଥିତି ଭୟଙ୍କର ହେବାର ଲାଗିଛି।
ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାରଠାରୁ ଡେଙ୍ଗୁ ପରୀକ୍ଷା ଆରମ୍ଭ ହୋଇଛି । ଆରଏମଆରସିର ଏକ ଟିମ୍ ଏଠାକୁ ଆସି ନମୁନା ସଂଗ୍ରହ କରୁଛି । ହେଲେ ଚିନ୍ତାର ବିଷ୍ୟ ଏହା ଯେ ଯଦି ମାତ୍ର ୩୧ ନମୁନାରୁ ୧୯ଜଣ ପଜିଟିଭ୍ ଚିହ୍ନଟ ହେଲେଣି ତେବେ ଅଧିକ ସଂଖ୍ୟାରେ ଟେଷ୍ଟିଂ ହେଲେ ଶତାଧିକ ପଜିଟିଭ୍ ବାହାରିବେ । ଅଧିକାଂଶ ଲୋକ ଜ୍ୱରରେ ପୀଡିତ ହୋଇ ଘରେ ଅଛନ୍ତି ହେଲେ ଟେଷ୍ଟିଂ ପାଇଁ ଆସୁନାହାନ୍ତି। ପୂର୍ବରୁ ସେକ୍ଟର ୩ ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ବାହାରିଥିଲେ। ଗୁରୁବାର ସେକ୍ଟର-୧ ଅଞ୍ଚଳରୁ ଅନେକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନତା କରିବାକୁ ସ୍ଥିର କରୁଛନ୍ତି । ଏହାସହ ସେହି ଅଞ୍ଚଳର ସ୍ୱଚ୍ଛତା, ପରିମଳକୁ ଗୁରୁତ୍ୱ ମଧ୍ୟ ଦିଆଯାଉଛି । ଏହାବାଦ ଧୂଆଁ ଛଡା ଗାଡିର ମଧ୍ୟ ବ୍ୟବହାର କରାଯାଉଛି।