ସନଷ୍ଟାର ଟିଭି ବ୍ୟୁରୋ
ଭୋପାଳ: ବିଶ୍ବରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହା ଭିତରେ ଏକ ଆଶ୍ଚର୍ଯ୍ୟ କଥା ସମ୍ନାକୁ ଆସିଛି। କରୋନା କେବଳ ଫୁସଫୁସକୁ ସଂକ୍ରମିତ କରୁନାହିଁ ବରଂ ଏହାପରେ ବି ଏହା ମଣିଷର କିଡ୍ନୀ, ଲିଭର, ପାନକ୍ରିଆଜ୍, ବ୍ରେନ୍ ଓ ହାର୍ଟରେ କୁପ୍ରଭାବ ପକାଉଛି ବୋଲି ଭୋପାଳ ଏମ୍ସରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି । ଏହା ପରେ ରୋଗୀର ଅବସ୍ଥା ଗୁରୁତର ହୋଇପଡୁଛି । ଯାହା ପାଇଁ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ପାରୁନାହିଁ ।
ଦେଶରେ ପ୍ରଥମଥର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସ୍(ଏମ୍ସ)ରେ କରାଯାଇଥିବା କୋଭିଡ ମୃତକଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି, ଯାହା ଡାକ୍ତର ମାନଙ୍କୁ ଏବେ ଚିନ୍ତାରେ ପକାଇଛି । ସେଠାରେ ୨୧ ମୃତ କୋଭିଡ ରୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ଅନ୍ୟାନ୍ୟ ରୋଗ ଥିବାରେ ଜଣା ପଡିଥିଲା ଓ ଜଣେ କେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ଉକ୍ତ ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ମୃତ କରୋନା ରୋଗୀଙ୍କ ଶରୀରରେ ୨୦ଘଣ୍ଟା ପରେ ବି କରୋନା ଭାଇରସ ଦେଖାଯାଉଛି।