ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନ୍ତର୍ଗତ ଭର୍ଦୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ। ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ (DDCE)ଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି. ଦ୍ଵାରା ବିକଶିତ କରାଯାଇଥିବା ଏକ ସ୍ଵତନ୍ତ୍ର ପୋର୍ଟାଲ (https://vtputkal.odisha. gov.in)ରେ ପ୍ରସ୍ତୁତ ଇ-ଲେକ୍ଚରଗୁଡ଼ିକ ସ୍ଥାନିତ କରାଯାଇଛି। ଆଜି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏହାକୁ ଲୋକାର୍ପିତ କରିଛନ୍ତି। ଏହାଦ୍ଵାରା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ଵ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ ୱେବ୍ ପୋର୍ଟାଲରେ ଅପ୍ଲୋଡ କରାଯାଇଛି। ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ ଲେକ୍ଚର ଯଥା ସମୟରେ ଅପ୍ଲୋଡ କରାଯିବ। ପରବର୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ।