ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଆୟୋଜନ ହୋଇପାରିବ ନାହିଁ ରଥଯାତ୍ରା । ଏନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । CJI ଏନ୍.ଭି ରମନ୍ନା ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍ଲିରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା ।
ଆବେଦନ ଖାରଜ ଅବସରରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ମୁଖ୍ୟ ବିଚାରପତି କହିଥିଲେ, ଏମିତି କରିବାକୁ ମୋତେ ଭଲ ଲାଗୁନି, କିନ୍ତୁ ଆମେ ନାଚାର। ଆସନ୍ତା ବର୍ଷ ଭଗବାନ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା କରୁଛୁ। ଆଗକୁ କରୋନା ପରିସ୍ଥିତି କଣ ହେବ ସେନେଇ କେହି ଆଗୁଆ ଚିନ୍ତା କରିପାରିବେ ନାହିଁ । ତେଣୁ ରାଜ୍ୟରେ କେଉଁଠି ରଥଯାତ୍ରା ହେବ ସେ ନେଇ କେବଳ ରାଜ୍ୟ ସରକାର ନିଷ୍ପତି ନେଇ ପାରିବେ । ତେଣୁ ଏହି ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦେବା ସଠିକ୍ ହେବ ବୋଲି କହିଥିଲେ ସୁପ୍ରିମ କୋର୍ଟ ବିଚାରପତି ।