ସନଷ୍ଟାର ଟିଭି ବ୍ୟୁରୋ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରାଶାସନିକ ପ୍ରସ୍ତୁତି ନେଇ ପ୍ରଶାସନ ସୋମବାର ଅଧିକ ସୂଚନା ଦେଇଛି। ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡ଼ଦାଣ୍ଡରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହେବ। ବଡ଼ଦାଣ୍ଡବାସୀ ସେମାନଙ୍କ ଘରର ଛାତ ଓ ବାଲକୋନିରେ ବସି ବା ଠିଆ ହୋଇ ଶ୍ରୀବିଗ୍ରହଙ୍କ ରଥଟଣା ଦେଖିବା ଉପରେ କଟକଣା ରହିବ। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ ବେଳେ ଭକ୍ତଙ୍କୁ ଦର୍ଶନ କିମ୍ବା ପ୍ରବେଶର ଅନୁମତି ମିଳିବ ନାହିଁ ।
ଆଡ଼ପ ଅବଢ଼ା ଭକ୍ତଙ୍କୁ ବିତରଣ କରିବାକୁ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୨ଟି ସ୍ଥାନରେ ଷ୍ଟଲ ଲାଗିବାର ବ୍ୟବସ୍ଥା କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଗୁଣ୍ଡିଚା ମନ୍ଦିର ଚାରି ପାଖରେ ୧୪୪ ଧାରା ଜାରି ରହିବ । ନଅ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଚାରି ପାଖରେ ଏହି କଟକଣା ବଳବତ୍ତର ରହିବ। ସୋମବାର ଶ୍ରୀମନ୍ଦିରର ଛଅ ଗୋଟି ନିଯୋଗ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ପ୍ରକାଶ କରି କହିଛନ୍ତି । ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ କୌଣସି ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।