ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ମୌସୁମୀ ଅଧିବେଶନ ବସିଛି । ଏହି ସମୟରେ ଓବିସି (OBC) ଆରକ୍ଷଣ ବିଷୟକୁ ନେଇ ବିଧାନସଭା ଗୃହରେ ଜୋରଦାର ହଙ୍ଗାମା ଦେଖାଯାଇଛି । ଏହି ଆଲୋଚନା ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଚସ୍ପତି ଆସନରେ ବସିଥିବା ଭାସ୍କର ଯାଦବଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଭାରତୀୟ ଜନତା ପାର୍ଟିର 12 ଜଣ ବିଧାୟକଙ୍କୁ 1 ବର୍ଷ ପାଇଁ ନିଲମ୍ବିତ କରିଦିଆଯାଇଛି ।
ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ସଞ୍ଜୟ କୁଟେ, ଆଶୀଷ ଶୋଲାର, ଅଭିମନ୍ୟୁ ପାୱାର, ଗିରିଶ ମହାଜନ, ଅତୁଲ ଭଟଖଲର, ପରାଗ ଅଲୱାଣୀ, ହରୀଶ ପମ୍ପେଲ, ରାମ ସାତପୁତେ, ଜୟକୁମାର ପାୱଲ, ଯୋଗେଶ ସାଗର, ନାରାୟଣ କୁଚେ ଓ କୀର୍ତ୍ତି କୁମାର ରହିଛନ୍ତି ।
ଘଟଣାରେ କାର୍ଯ୍ୟକାରୀ ବାଚସ୍ପତି ଭାସ୍କର ଯାଦବ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଅଭିଯୋଗ ଅନୁଯାୟୀ, ବାଚସ୍ପତି ଭାସ୍କର ଯାଦବ ଗୃହରେ କହିବା ପାଇଁ ପର୍ଯ୍ୟାପ୍ତ ସମୟ ଦେଇନଥିଲେ । ଫଳରେ ବିରୋଧୀ ଉତ୍ତେଜନା ପ୍ରକାଶ କରିଥିଲେ ।
ତେବେ ସୂଚନା ଅନୁଯାୟୀ ବିଧାନସଭାରେ ସୋମବାର ଏକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ 2011 ଜନଗଣନା ରିପୋର୍ଟ ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଥିଲା । ଏହାଫଳରେ ପଛୁଆବର୍ଗ ଆୟୋଗକୁ ଓବିସି ସମୁଦାୟଙ୍କ ଡାଟା ପ୍ରସ୍ତୁତ କରିବା ପାଇଁ ସକ୍ଷମ କରାଯାଇପାରିବ । ଏନସିପି ନେତା ତଥା ରାଜ୍ୟର ଖାଉଟି ମନ୍ତ୍ରୀ ଛଗନ ଭୁଜବଲଙ୍କ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ଧ୍ବନିମତରେ ପାରିତ କରିଦିଆଯାଇଛି । ଏହି ସମୟରେ ବିଜେପି ବିଧାୟକ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଏହି ପ୍ରସ୍ତାବ ରାଜନୀତି ପ୍ରେରିତ ବୋଲି କହିଥିଲେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ।
ଶିବସେନା ନେତା ସୁନିଲ୍ ପ୍ରଭୁ ଓ ଏନସିପି ନେକା ନବାବ ମାଲିକଙ୍କ ଅଭିଯୋଗ ଅନୁଯାୟୀ, ଭାଜପା ନେତାମାନେ କାର୍ଯ୍ୟରତ ବାଟସ୍ପତିଙ୍କ ସହ ଦୁର୍ବ୍ୟବହାର କରିବା ସହ ଅଧ୍ୟକ୍ଷଙ୍କ କକ୍ଷରେ ପଶି ମାରପିଟ୍ ମଧ୍ୟ କରିଛନ୍ତି । ଯେଉଁଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଥିଲେ । ଏହାପରେ ବାଚସ୍ପତି 15 ମିନିଟ୍ ପାଇଁ ଗୃହ ମୁଲତବୀ ରଖିବା ସହ 12 ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ।