ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରଥଟଣା ବେଳେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ଘର ଉପର ବାଲ୍କୋନିରେ ବସି ସ୍ଥାନୀୟ ବାସିନ୍ଦାମାନେ ରଥଯାତ୍ରା ଦେଖି ପାରିବେ ନାହିଁ । ରଥଯାତ୍ରା ପାଇଁ ଏଭଳି କଟକଣା ଜାରି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଶୁକ୍ରବାର ଅନୁଷ୍ଠିତ ବିଭିନ୍ନ ସେବାୟତ ନିଯୋଗର ବୈଠକ ବେଳେ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାମାନେ ମଧ୍ୟ ଏଭଳି ଦାବି କରିଥିଲେ । ଜିଲ୍ଲାପାଳଙ୍କ ସହ ଖୁଣ୍ଟିଆ ନିଯୋଗର ଆଲୋଚନା ବେଳେ ଏହି ପ୍ରସ୍ତାବ ବି ଆସିଥିଲା । ଜବାବରେ ଜିଲ୍ଲାପାଳ କହିଥିଲେ ବଡ଼ଦାଣ୍ଡରେ ଉଭୟ ପାଶ୍ୱର୍ସ୍ଥିତ ଘର ବାଲ୍କୋନିରେ ରଥଟଣା ଦେଖିବାକୁ ମନା କରାଯିବ ।
ପୂର୍ବବର୍ଷ ଭଳି ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଜରିଆରେ ରଥଯାତ୍ରା ରଥଟଣାର ସିଧା ପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି ।ଖୁଣ୍ଟିଆ ନିଯୋଗ ମୁଖ୍ୟ ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ବାଲ୍କୋନି ଉପରେ ବସି ରଥଟଣା ଦେଖିଲେ ଲୋକଙ୍କ ପ୍ରତି ପାତରଅନ୍ତର ହେବ । ଏହି ଆଧାରରେ ନିଯୋଗର ଏହି ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ ।