ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଲୋକସଭା ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି, ସପ୍ତଦଶ ଲୋକସଭାର ଷଷ୍ଠ ଅଧିବେଶନ ଆଗାମୀ ୧୯ରୁ ଆରମ୍ଭ ହେବ। ଅନୁରୂପ ଭାବେ ରାଜ୍ୟସଭା ଅଧିବେଶନ ମଧ୍ୟ ଜୁଲାଇ ୧୯ରୁ ଆରମ୍ଭ ହେବାନେଇ ରାଜ୍ୟସଭା ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଧିବେଶନ ୧୯ରୁ ଡକାଇଛନ୍ତି ଏବଂ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ଉପରେ ଥିବା କ୍ୟାବିନେଟ କମିଟି (ସିସିପିଏ) ଗତ ମାସରେ ଏହି ତାରିଖରେ ସଂସଦର ଅଧିବେଶନ ଆୟୋଜନ ପାଇଁ ସୁପାରିଶ କରିଥିଲେ ।
ସୂଚନାଯୋଗ୍ୟ ଯେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ଏହା ସଂସଦର ପ୍ରଥମ ଅଧିବେଶନ ହେବାକୁ ଯାଉଛି । ମାର୍ଚ୍ଚ 2020 ଠାରୁ କୋଭିଡ -19 ମହାମାରୀ ସଂସଦର ଅଧିବେଶନକୁ ପ୍ରଭାବିତ କରିଛି। ଗତ ବର୍ଷର ବଜେଟ ଏବଂ ମୌସୁମୀ ଅଧିବେଶନ ଏବଂ ଚଳିତ ବର୍ଷର ବଜେଟ ଅଧିବେଶନକୁ ଶୀଘ୍ର ବନ୍ଦ କରିବାକୁ ବାଧ୍ୟ କରିଛି। ଜନସ୍ୱାସ୍ଥ୍ୟ ସଙ୍କଟ ହେତୁ 2020 ଶୀତକାଳୀନ ଅଧିବେଶନକୁ ସମ୍ପୂର୍ଣ୍ଣ ଛାଡ ଦିଆଯାଇଥିଲା । ଏଥିସହିତ ସଂସଦର ଗତ ଅଧିବେଶନ ତୁଳନାରେ ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ଆସିଛି । ଚଳିତ ବର୍ଷ ପ୍ରାରମ୍ଭରେ ଦ୍ୱିତୀୟ ଲହର ସମୟରେ ପରିଲକ୍ଷିତ ହେଉଥିବା ସଂକ୍ରମଣ ତୁଳନାରେ ସଂପ୍ରତି ଦୈନିକ ନୂଆ ସଂକ୍ରମଣ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି । ସଂସଦ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦ ଏବଂ ସଂସଦର ସମସ୍ତ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ ଶେଷ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉଛି।