ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଜୁଲାଇ ୨୨ ସୁଦ୍ଧା ଶ୍ରୀମନ୍ଦିରରେ ଲାଗିବାକୁ ଥିବା ରୂପା ଦ୍ବାରର କାମ ଶେଷ ହେବାକୁ ଯାଉଛି । ଶ୍ରୀମନ୍ଦିରର ୮ଟି ଦ୍ବାରକୁ ରୂପା ଚାଦରରେ ସୁସଜ୍ଜିତ କରାଯିବ । ଏଥିପାଇଁ ମୁମ୍ବାଇରୁ ଆସିଥିବା କାଠ କାରିଗରମାନଙ୍କ ଦ୍ବାରା ସ୍ବତନ୍ତ୍ର ବର୍ମା ଟିକ୍ରେ ନୀଳାଦ୍ରି ଭକ୍ତ ନିବାସରେ ଗୁପ୍ତ ଭାବେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଇତିମଧ୍ୟରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ବାରରୁ ୩ ଦ୍ବାରର କାମ ଶେଷ ହୋଇଛି । ବାକି ଗୋଟିଏ ଦ୍ବାରର କିଛି କାମ ବାକି ରହିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନାକ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଅର୍ଥାତ୍ ଚଳିତ ମାସ ୨୨ ତାରିଖ ସୁଦ୍ଧା ଚାରି ପ୍ରମୁଖ ଦ୍ବାର ଲଗାଇବାକୁ ନିଷ୍ପତ୍ତି ହୋଇଛି । କଡ଼ା ସୁରକ୍ଷା ଭିତରେ ଏହି କାମ କରିବାକୁ ଷ୍ଟ୍ରଙ୍ଗ୍ ରୁମ୍ କାମ ବି ଶେଷ ହୋଇଛି। ଏ ଉପରେ କଡ଼ା ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ରୁପା ଦ୍ବାର ନିର୍ମାଣର ଅଗ୍ରଗତି ଓ ଏହାର ଟିକିନିଖି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଠନ କରାଯାଇଥିବା ଦୁଇଟି କମିଟି ଏହାର ତଦାରଖ କରୁଛନ୍ତି । ଗୋଟିଏ କମିଟି(ଟେକ୍ନିକାଲ୍ କମିଟି) କିଛି ଇଂଜିନିୟରକୁ ନେଇ ଗଠନ କରାଯାଇଥିବାବେଳେ ଅନ୍ୟଟି(ନନ୍ ଟେକ୍ନିକାଲ୍ କମିଟି) ସେବାୟତଙ୍କୁ ନେଇ ଗଠନ କରାଯାଇଛି ।