ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନବ ଉତ୍କଳର ପ୍ରତିଷ୍ଠାତା ବିଜୁ ବାବୁଙ୍କ ସବୁଠୁ ପ୍ରିୟ ବିମାନ ‘ଡାକୋଟା’ ଖୁବ୍ ଶୀଘ୍ର ଓଡିଶା ଫେରିବ । କୋଲକାତାରୁ ମିଜ ରାଜ୍ୟକୁ ଏହାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ରାଜ୍ୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ବିମାନକୁ କୋଲକାତାରୁ କିପରି ଅଣାଯିବ ସେଥିପାଇଁ ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ତା’ ପୂର୍ବରୁ ଏହା କେଉଁଠି ରହିବ ସେଥିପାଇଁ ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଗୋଲେଇ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହାକୁ ରଖାଯିବ । ଏଥିଲାଗି ଜିଏ ବିଭାଗ ଅନୁମତି ଦେଇସାରିଛି । ବାକି ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ଅନୁମତି ମଗାଯାଇଛି । ଏନ୍ଓସି ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
ତେବେ ଡାକୋଟାକୁ ନିଜ ମାଟିକୁ ଫେରାଇ ଆଣିବା ପାଇଁ ଗତବର୍ଷ ଜାନୁଆରୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ବସିଥିଲା । ଡାକୋଟାକୁ ଆଣିବା ପାଇଁ ସରକାରୀସ୍ତରରେ ଏକ କମିଟି ଗଠନ ସହ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା । ଏଥିସହିତ ଏହାକୁ ରଖିବାକୁ ସ୍ଥାନ ମଧ୍ୟ ଚୟନ କରାଯାଇଥିଲା ।
ବିଜୁବାବୁଙ୍କ ଅନେକ ଦୁଃସାହସିକ କାର୍ଯ୍ୟରେ ତାଙ୍କର ସାଥି ବନିଥିଲା ଡାକୋଟା । ଡାକୋଟା ସହ ବିଜୁବାବୁଙ୍କ ଅନେକ ସ୍ମୃତି ଯୋଡି ହୋଇ ରହିଛି ।