ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ଡାକ୍ତର ଦିବସ । କରୋନା ମହାମାରୀ ଭଳି ସମୟରେ ଭଗବାନ ସାଜି ନିଜ ଜୀବନକୁ ତୁଚ୍ଛ କରି ସାଧାରଣ ଜନତାଙ୍କ ସେବାରେ ଦିନ ରାତି ନିଜ ଜୀବନକୁ ନିୟୋଜିତ କରିଥିବା ଡାକ୍ତର ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି କ୍ରମରେ ବାଦ୍ ପଡିନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡାକ୍ତର ଦିବସ ଅବସରରେ ସାରା ଦେଶର ଡାକ୍ତରଙ୍କୁ 130 କୋଟି ଲୋକଙ୍କ ତରଫରୁ ପ୍ରଣାମ ଜଣାଇବା ସହ ଡାକ୍ତରଙ୍କୁ ଭଗବାନଙ୍କ ସ୍ବରୂପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି କି ଯେତେବେଳେ ଦେଶ କରୋନା ବିରୋଧରେ ଏକ ବଡ ଲଢେଇ ଲଢୁଥିଲା ସେତେବେଳେ ଡାକ୍ତରମାନଙ୍କ ପାଇଁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ହୋଇ ପାରିଛି । ଲୋକଙ୍କ ସେବା କରୁ କରୁ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ 2 ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଛନ୍ତି । ସ୍ବାସ୍ଥ୍ୟସେବାକୁ ଆହୁରୀ ଦୃଢ କରିବା ପାଇଁ 50 ହଜାର କୋଟି ବ୍ୟୟ ବରାଦରେ ଏକ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମର ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ 2014 ଯାଏଁ ଦେଶରେ ମାତ୍ର 6ଟି ଏମ୍ସ ଥିବା ବେଳେ ମାତ୍ର 7 ବର୍ଷ ମଧ୍ୟରେ 15ଟି ନୂତନ ଏମ୍ସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।