ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି 72 ବର୍ଷରେ ପଦାର୍ପଣ କରିଛନ୍ତି । ସେ 1949 ମସିହା, ଜୁଲାଇ 1 ତାରିଖ ଅର୍ଥାତ୍ ଆଜିର ଦିନରେ ଆନ୍ଧ୍ରପ୍ରଦେଶର ନେଲୋର୍ ଜିଲ୍ଲାରେ ରଙ୍ଗେସ୍ ନାଇଡୁ ଓ ରାମାନମ୍ମାଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ହାସଲ କରିସାରିବା ପରେ ସେ ନେଲୋର୍ ସ୍ଥିତ ଭିଆର୍ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ବ୍ୟାଚଲର୍ ଡିଗ୍ରୀ ହାସଲ କରିଥିଲେ ।ଏହାପରେ ବିଶାଖାପାଟଣାରେ ଅବସ୍ଥିତ ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତ୍ତକ କରିଥିଲେ । ଏହି ସମୟରେ ଛାତ୍ର ସଭାପତି ଭାବେ ମନୋନୀତ ହୋଇଥିଲେ । ଏହିଠାରୁ ହିଁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ।
ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲାଦିନରୁ ତାଙ୍କର ସେବା କରିବାର ମନୋବୃତ୍ତି ରହିଥିଲା । ଛାତ୍ରାବସ୍ଥାରୁ ସେ RSSରେ ଯୋଗ ଦେଇ ସ୍ବଚ୍ଛାକୃତ ଭାବେ ଲୋକମାନଙ୍କ ସେବା କରୁଥିଲେ । କଲେଜ ସମୟରେ ସେ ABVPରେ ଯୋଗ ଦେଇଥିଲେ । ପିଲାଦିନରୁ ହିଁ ସେ ଶୃଙ୍ଖଳିତ ଥିଲେ । 1972ରେ ସେ ଜୟ ଆନ୍ଧ୍ର ଆନ୍ଦୋଳନରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ । 1977 ମସିହରେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ଶାସନ ସମୟରେ ମଧ୍ୟ ସେ ଏହାର ତୀବ୍ର ବିରୋଧ କରିଥିଲେ । ସେ 1978ରେ ଉଦୟଗିରିରେ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ଛିଡା ହୋଇଥିଲେ ଓ ବିଜୟ ଲାଭ କରିଥିଲେ । 1980ରୁ 1983 ପର୍ଯ୍ୟନ୍ତ ସେ ବିଜେପିର ସର୍ବ ଭାରତୀୟ ଯୁବ ଗୋଷ୍ଠୀର ଉପସଭାପତି ଭାର ସମ୍ଭାଳି ଥିଲେ । 1996ରୁ 2000 ପର୍ଯ୍ୟନ୍ତ ସେ ବିଜେପିର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ କରିଥିଲେ । 1998ରେ ସେ କର୍ଣ୍ଣାଟକରୁ ରାଜ୍ୟସଭାକୁ ମନୋନିତ ହୋଇଥିଲେ ।
ବାଜପେୟୀଙ୍କ ସମୟରେ 2000 ମସିହାରୁ 2002 ମସିହା ପର୍ଯ୍ୟନ୍ତ ସେ ଗ୍ରାମ୍ୟ ବିକାଶ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।ଜୁଲାଇ 2002ରୁ ଜୁନ୍ 2004 ପର୍ଯ୍ୟନ୍ତ ସେ ବିଜେପିର ଜାତୀୟ ସଭାପତି ଭାବେ ମନୋନୀତ ହୋଇଥିଲେ । 2004 ରୁ 2010 ପର୍ଯ୍ୟନ୍ତ ଦୀର୍ଘ ସମୟ ଯାଏଁ ସେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ ।
2024ରେ ସେ ମୋଦୀଙ୍କ କ୍ୟାବିନେଟରେ ସେ ଯୋଗାଯୋଗ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ ଓ ଏହାପରେ ସେ ଭାରତର ଉପରାଷ୍ଟ୍ରପତି ଭାବେ ମନୋନୀତ ହୋଇଥିଲେ ।
ତେବେ ତାଙ୍କ ଜନ୍ମ ଦିବସ ଅବସରରେ ତାଙ୍କୁ ବହୁ ବିଜ୍ଞ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Warm greetings and best wishes to Hon’ble Vice President of India (@VPSecretariat) Shri @MVenkaiahNaidu ji on birthday. May you be blessed with long and healthy life. pic.twitter.com/bqxaysXhYv
— Naveen Patnaik (@Naveen_Odisha) July 1, 2021