ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଓ ‘ମେଘରେ ମେଘ’ ଭଳି ଅନେକ ଲୋକପ୍ରିୟ ଓଡିଆ ସଂଗୀତକୁ ଭେଟି ଦେଇଥିବା ଗୀତିକାର ଶକ୍ତି ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସେ ଲିଭର ଶିରୋସିସ୍ ସହିତ ହାର୍ଟ ଓ କିଡ୍ନୀ ଜନିତ ସସମ୍ୟାରେ ପୀଡ଼ିତ ହୋଇ ରବିବାରଠାରୁ ହସ୍ପିଟାଲ୍ରେ ଅଛନ୍ତି ।
ଗତ ରବିବାର ଦିନ ରକ୍ତ ବାନ୍ତି କରିବାରୁ ତାଙ୍କୁ KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ଆସିୟୁରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କ ନିକଟ ସଂପର୍କୀୟଙ୍କ ସୂଚନା ଅନୁଯାୟୀ ସେଠାରେ ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି । ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କୁ ରକ୍ତ ଦିଆଯାଉଛି ।
ତେବେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ଏହି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ନବେ ଦଶକରେ ନିଜର ସଂଗୀତର ସ୍ବରରେ ଅନେକ ଦର୍ଶକଙ୍କୁ ମତୁଆଲା କରିଥିଲେ । ୯୦ ଦଶକରୁ ଅଦ୍ୟାବଧି ଓଡ଼ିଆ ସିନେ ଓ ଆଲ୍ବମ୍ ଜଗତ ସହ ଜଡ଼ିତ ଅଛନ୍ତି ଶକ୍ତି ମିଶ୍ର । ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଓ ‘ମେଘରେ ମେଘ’ ଭଳି ଲୋକପ୍ରିୟ ଗୀତକୁ ସେ ଦର୍ଶକମାନଙ୍କୁ ଭେଟି ଦେଇଥିଲେ ।